ଭୁବନେଶ୍ୱର(ଏଟିଆର ବ୍ୟୁରୋ): ହିନ୍ଦି ଫିଲ୍ମ ଇଣ୍ଡ୍ରଷ୍ଟିର ଦୁଇଟି ଆଗ ଧାଡିର ସଂସ୍ଥା, ‘ଟି-ସିରିଜ୍’ ଓ ‘ରିଲାଏନ୍ସ ଏଣ୍ଟରଟେନମେଣ୍ଟ’ ମଧ୍ୟରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମୁକାବିଲା । ଧିରେଧିରେ ଏହି ମୁକାବିଲା ଅତି ରୋଚକ ମୋଡ ନେବାରେ ଲାଗିଛି ।
ଦୁଇଟିଯାକ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଦେଖିଲେ ଦୌଡରେ ଆଗରେ ରହିଛି ଟି-ସିରିଜ୍ର ଫିଲ୍ମ ‘ପତି-ପତ୍ନି ଅର ୱ’, ସେପଟେ ଶନିବାର ଠାରୁ ଫିଲ୍ମ ‘ପାନୀପଥ୍’ର କଲେକ୍ସନ ମଧ୍ୟ ବଢିବାରେ ଲାଗିଛି ।
‘ପତି-ପତ୍ନି ଅର ୱ’ରେ ମୁଖ୍ୟ ଭୁମିକାରେ କାର୍ତ୍ତିକ ଆରୟନ, ଭୂମି ପେଦ୍ନେକର ଓ ଅନନ୍ୟା ପାଣ୍ଡେ ନଜର ଆସିଥିବା ବେଳେ ‘ପାନୀପଥ୍’ରେ ଅର୍ଜୁନ କପୁର ଓ କିର୍ତ୍ତି ସାନନ୍ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ।
ଫିଲ୍ମ ‘ପାନୀପଥ୍’ ଶୁକ୍ରବାର ପ୍ରାୟ ୩କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ଫିଲ୍ମଟି ୫୦ପ୍ରତିଶତ ଅଧିକ ବ୍ୟବସାୟ କରିଥିଲା । ସେପଟେ ‘ପତି-ପତ୍ନି ଅର ୱ’ ଶୁକ୍ରବାର ପ୍ରାୟ ୯କୋଟି ୧୦ଲକ୍ଷ ଟଙ୍କା ଆୟ କରି ଶନିବାର ୧୨କୋଟି ୩୩ ଲକ୍ଷରେ ପହଞ୍ଚିଥିଲା ।
‘ପତି-ପତ୍ନି ଅର ୱ’ ବିଶେଷ କରି ଯୁବ ପିଢିଙ୍କୁ ଆକୃଷ୍ଟ କରୁଥିବା ବେଳେ ‘ପାନୀପଥ୍’ ଏକ ଐତିହାସିକ ଘଟଣା ଉପରେ ଆଧାରିତ ହୋଇଥିବାରୁ ଫିଲ୍ମଟି ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ।