ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ବିଭିନ୍ନ ବୟାନ ଚର୍ଚ୍ଚାରେ ରହିବା ପରେ ଏବେ ସେ ଆଉ ବୟାନ ଦେଇଛନ୍ତି । ସେ ଏଥରକ ଭାରତରେ ଲାଗୁ ହୋଇଥିବା ନାଗରିକତା ଆଇନକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଏହି ଆଇନ୍ ଯୋଗୁଁ ଲକ୍ଷାଧିକ ମୁସଲମାନଙ୍କୁ ଭାରତ ଛାଡିବାକୁ ପଡିବ ଏବଂ ଏହା ଏଭଳି ଏକ ଶରଣାର୍ଥି ସମସ୍ୟା ହେବ, ଯାହା ସାମ୍ନାରେ ଅନ୍ୟ ସବୁ ସମସ୍ୟା ଛୋଟ ପଡିଯିବ ।
ସ୍ୱିଜରଲାଣ୍ଡର ଜେନେବାରେ ଆୟୋଜିତ ‘ଗ୍ଲୋବାଲ ଫୋରମ୍ ଅଫ୍ ରେଫ୍ୟୁଜି’ ରେ ଇମରାନ୍ ଖାଁ ଯୋଗ ଦେଇ କହିଛନ୍ତି , ବର୍ତ୍ତମାନ ଭାରତରେ ଏକ ନାଗରିକତା ଆଇନ ଲାଗୁ କରାଯାଇଛି । ଯେଉଁଥି ପାଇଁ ଭାରତର ଲକ୍ଷାଧିକ ମୁସଲମାନଙ୍କୁ ଦେଶ ଛାଡିବା ବାଧ୍ୟତାମୂଳକ ହୋଇପଡିବ । ଏହାଦ୍ୱାରା ଏଭଳି ଏକ ଶରଣାର୍ଥି ସଙ୍କଟ ସୃଷ୍ଟି ହେବ, ଯାହା ସାମ୍ନାରେ ଅନ୍ୟ ସମସ୍ୟା ଛୋଟ ପଡିଯିବ । ଏହାସହିତ ଦକ୍ଷୀଣ ଏସିଆର ଦୁଇ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ବିବାଦ ବି ବଢିପାରେ ।
ସେ ଆହୁରି ମଧ୍ୟ କହିଛନ୍ତି କି, ବିବାଦିତ କାଶ୍ମୀରରେ ଭାରତ ଦ୍ୱାରା ଲଗାଯାଇଥିବା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତରୁ ଆସିବାକୁ ଥିବା ଅଧିକ ଶରଣାର୍ଥିଙ୍କୁ ପାକିସ୍ତାନରେ ସ୍ଥାନ ଦିଆଯିବ ନାହିଁ ।