ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବାରୁ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥାନ୍ତି । ତେବେ ଅଧିକ ସଂଖ୍ୟାକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କିଛିଦିନ ତଳେ କୋଣାର୍କର ରାମଚଣ୍ଡୀ ଠାରେ ଭାରତର ପ୍ରଥମ ‘ଗ୍ଲାମର୍ସ କ୍ୟାମ୍ପଂ’ ଉଦଘାଟିତ ହୋଇଯାଇଛି । ଏଥିପ୍ରତି ପର୍ଯ୍ୟଟକମାନଙ୍କର ଭଲ ପ୍ରତିକ୍ରିୟା ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରୀ ଦୁଇଟି ନୂତନ ପ୍ରୋଜେଟକୁ ହାତକୁ ନିଆଯାଇଛି । ଏସିଆ ମହାଦେଶର ସବୁଠାରୁ ବଡ ଲୁଣିଆ ହ୍ରଦଭାବରେ ପରିଚିତ ଚିଲିକାରେ ପ୍ରସ୍ତୁତ ହୋଇଛି ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାର ରମ୍ଭା ଏବଂ ବଡକୂଳରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ ।
ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬କୋଟି ୧୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା ବେଳେ ଆସନ୍ତା ୬ରୁ ୭ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଓଟିଡିସି ଏମଡି ହେମାକାନ୍ତ ସଏ କହିଛନ୍ତି । ଏମିତିରେ ତ ଚିଲିକା ମଧ୍ୟରେ ଜଳରାଶି ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ସମସ୍ତଙ୍କ ଭଲ ଲାଗେ । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ସାଙ୍ଗକୁ ସୁସ୍ୱାଦୁ ଭୋଜନର ଯଦି ମଜା ମିଳିଯାଏ ତେବେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଉଛି । ଏହା ସହ ରାଜ୍ୟର ପ୍ରଥମ ହାଉସବୋଟ୍ ଚିଲିକାରେ ଆରମ୍ଭ କରାଯିବ । ଏଥିପାଇଁ ପର୍ଯ୍ୟଟନ ବିଭାଗ ଅର୍ଥ ବରାଦ କରିସାରିଥିବା ବେଳେ ଖୁବଶୀଘ୍ର ଏକ ବୈଷୟିକ ଟିମ ଚିଲିକା ଯାଇ ଅନୁସଦ୍ଧାନ କରିବେ । ଆଇଆଇଟି ମାଡ୍ରାସର ଜଣେ ନାଭାଲ ଆର୍କିଟେକଚର ଏହାର ଡିଜାଇନ କରିବା ସହ ପ୍ରଥମ ପର୍ଯ୍ୟୟରେ ୨ଟି ହାଉସ ବୋଟ୍ ଆସିବ ବୋଲି ଓଟିଡିସି ଏମଡି ହେମାକାନ୍ତ ସଏ କହିଛନ୍ତି ।