ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଳମ୍ବିତ ରାତିରେ କେଉଁମାନେ ଉତ୍ପାତ ହେଉଛନ୍ତି । କେତେ ମଦୁଆ ଟହଲ ମାରୁଛନ୍ତି । ଅଯଥାରେ ହୋହାଲ୍ଲା କରି କିଏ ରାସ୍ତା ହେଉ ଅବା ଗଳିକନ୍ଦିରେ ବିଶୃଙ୍ଖଳା କରୁଛି । ସେମାନଙ୍କୁ ଧର, ଉଚିତ ଶାସ୍ତି ଦିଅ । ବରିଷ୍ଠ ଅଧିକାରୀଙ୍କ ଏମିତି ନିର୍ଦ୍ଦେଶ ପରେ ଆଜି ପୁଣି ଅଚାନକ ଆରମ୍ଭ ହୋଇଛି ବ୍ଲକିଂ । କମିଶନରେଟ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଅଟକି ଯାଞ୍ଜ ପ୍ରକୀୟା ଆରମ୍ଭ କରିଛି ।
ପୁଲିସ ରିପୋର୍ଟ ଅନୁସାରେ ୧୬ଟି ସ୍ଥାନରେ ବ୍ଲକିଂ କରାଯାଉଛି । ନୟାପଲ୍ଲୀ, ଖାରବେଳନଗର, ସହିଦନଗର, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଆଦି ସ୍ଥାନରେ ଚେକିଂକୁ ଜୋରଦାର କରାଯାଇଛି । ନୟାପଲ୍ଲୀ ଷ୍ଟୁଆର୍ଟ ସ୍କୁଲ ପାଖରେ ବହୁ ମଦ୍ୟପ ଧରାପଡିଥିବା ସୂଚନା ମିଳିଛି । ସେହିପରି ହାଉସିଂବୋର୍ଡ ଛକରେ ମଧ୍ୟ ଖାରବେଳନଗର ପୁଲିସ ଅନେକଙ୍କୁ ସାବାଡ କରିଛି । ପୁଲିସର ଅଚାନକ ଏହି ବ୍ଲକିଂକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଢ଼େରଦିନ ହେବ ପୁଲିସର ବ୍ଲକିଂ ଅଭିଯାନ ବନ୍ଦ ଥିବା ବେଳେ ନୂଆ ଡିସିପିଙ୍କ ଯୋଗଦାନ ପରେ ଏହି ଚେକିଂକୁ ଆହୁରି କଡ଼ାକଡ଼ି କରିବାକୁ ଲୋକେ ଅନୁରୋଧ କରିଛନ୍ତି ।