(ରିପୋର୍ଟ: ସୀତାଞ୍ଜଳି ଜେନା)
ଭୁବନେଶ୍ୱର: ଚଳିତ ବର୍ଷ ଜି’ସାର୍ଥକରେ ପ୍ରସାରିତ ରିୟଲିଟି ସୋ ସାରେଗାମାପା ଲିଟିଲ ଚାମ୍ପ ସ୍ୱର ଓଡ଼ିଶାର ଫାଇନାଲ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଥିବା ୬ଜଣ ପ୍ରତିଯୋଗୀତାଙ୍କ ମଧ୍ୟରୁ ନିଜର ସୁମଧୁର କଣ୍ଠରେ ଉଚ୍ଚ କୋଟିର ସଙ୍ଗୀତଗାନ କରି ପ୍ରଥମ ରନର୍ସଅପ ହେବାରେ ଗୌରବ ଅର୍ଜନ କରିଛନ୍ତି ଶୁଭ୍ରାଂଶ ଶୁଭ୍ର ଶେଖର ମିଶ୍ର । କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଁଚେଇ ପାରିବ । ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଶୁଭ୍ରାଂଶ ।
ଦୀର୍ଘ ୫ମାସ ଧରି ପ୍ରସାରିତ ହେଉଥିବା ଏହି ସୋ’ର ବିଚାରପତି ଭାବେ ଓଡ଼ିଆ ସିନେ ଜଗତର ସଙ୍ଗୀତ ଗୁରୁ ତଥା ନିର୍ଦ୍ଦେଶକ ପ୍ରେମାନନ୍ଦ, ଗାୟକ ସୁବାଶିଷ ମାହାକୁଡ଼, ସୌରୀନ ଭଟ୍ଟ ଏବଂ ଗାୟିକା ଦିପ୍ତୀରେଖା ପ୍ରମୁଖ ପରିଚାଳନା କରୁଥିଲେ । ମାତ୍ର ଫାଇନାଲରେ ବଲିଉଡ଼ର ଏଭରଗ୍ରୀନ ଗାୟିକା ତଥା ପଦ୍ମଶ୍ରୀ କବିତା କୃଷ୍ଣମୂର୍ତି ବିଚାରପତି ଆସନ ଗ୍ରହଣ କରି କୁନି ପ୍ରତିଯୋଗିତା ମାନଙ୍କର ପ୍ରତିଭାକୁ ବିଚାର କରିବା ସହ ସେମାନଙ୍କୁ ପୁରସ୍କୃତ କରିଥିଲେ ।
ସୂଚନା ଅନୁଯାୟୀ, କେନ୍ଦୁଝର ମାଇନିଂ ରୋଡ ସ୍ଥିତ ମୁକୁନ୍ଦପୁର ଗ୍ରାମର ଜଣେ ମଧ୍ୟବିତ ଶ୍ରେଣୀର ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଶିବ ଶଙ୍କର ମିଶ୍ରଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ଶୁଭ୍ରାଂଶ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ଥିବା ସେ ପ୍ରକାଶ କରିଛନ୍ତି । କିନ୍ତୁ ସମୟ ଅନୁଯାୟୀ, ଶୁଭ୍ରାଂଶଙ୍କ ଅଦ୍ୟମ ଇଚ୍ଛାଶକ୍ତି ତାଙ୍କୁ ଆଜି ଏହି ପ୍ଲାଟଫର୍ମରେ ସ୍ଥାନ ଦେଇପାରିଛି । ପ୍ରଥମ ରନର୍ସଅପରେ ରହି ସେ ଆଉ ପାଦେ ଅଗେଇବାରେ ସଫଳ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସମ୍ନାନ ମିଳିବା ସହ ୫୦ହଜାରର ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେ ବର୍ତମାନ ଅଢ଼ାଳିଆ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର । ତାଙ୍କ ଗୁରୁ, ବଡ଼ ଭାଇ ଏବଂ ମା’ଙ୍କ ପ୍ରେରଣା ଯୋଗେ ଆଗକୁ ବଢ଼ିବାରେ ସକ୍ଷମ ହୋଇ ପାରିଛନ୍ତି । ଯଦି ଅଗକୁ ଏହି ଭଳି ଭାବେ ଶୁଭ୍ରାଂଶଙ୍କ ଉପରେ ଭଲ ପାଇବା ଓ ଅର୍ଶୀବାଦ ରହିବ, ତେବେ ସେ ଓଡ଼ିଶା ପାଇଁ ଅନେକ କିଛି ଭେଟି ଦେବେ ବୋଲି ତାଙ୍କର ଆଶା ଓ ବିଶ୍ୱାସ ।
ଏହି ସୋ’ର ହୋଷ୍ଟିଂ ଦାୟିତ୍ୱରେ ଥିଲେ ଓଡ଼ିଶାର ଜଣେ ଜଣାସୁଣା ଆଙ୍କର ତଥା ଅଭିନେତ୍ରୀ ପୁପୁଲ ଭୂୟାଁ । ତାଙ୍କ ଏକ ୩ଡି’ ଚଳଚିତ୍ର ‘କୁଆଁରୀ କନ୍ୟା’ ପାଇଁ ସେ ଖୁବ ନାମ ଅର୍ଜନ କରିଥିଲେ ।