ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରୁଦ୍ରାକ୍ଷ ଏକ ମାତ୍ର ଫଳ ଯାହା ଅର୍ଥ, ଧର୍ମ, କାମ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ୱପୂର୍ଣ୍ଣ । ଶିବପୁରାଣ, ପଦ୍ମପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷର ଅପାର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ରୁଖା ରୁଖା ହୋଇ ଗାର ପଡିଲା ଭଳି ହୋଇଥାଏ, ଏହାକୁ ରୁଦ୍ରାକ୍ଷର ମୁଖ ବୋଲି କୁହାଯାଏ ।
ରୁଦ୍ରାକ୍ଷରେ ଥିବା ଏହି ରୁଖା ରୁଖା ଗାର ଗୁଡିକର ସଂଖ୍ୟା ୧ ରୁ ନେଇ ୨୧ ପର୍ଯ୍ୟନ୍ତ ହୋଇପାରେ । ଏହାକୁ ଗଣିକି ରୁଦ୍ରାକ୍ଷର ବର୍ଗିକରଣ ୧ ରୁ ୨୧ ମୁଖି ପର୍ଯ୍ୟନ୍ତ କରାଯାଇଥାଏ । ଏହାର ଅର୍ଥ ରୁଦ୍ରାକ୍ଷରେ ଯେତେ ଗାର ଥାଏ, ତାକୁ ସେତେ ମୁଖୀ ରୁଦ୍ରାକ୍ଷ ବୋଲି କୁହାଯାଇଥାଏ ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା କରାଯାଇଥାଏ, ସେଠାରେ ଅନ୍ନ, ବସ୍ତ୍ର, ଧନ-ଧାନ୍ୟ ଆଦିର ଅଭାବ ଦେଖାଯାଏ ନାହିଁ । ଏଠାରେ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ସର୍ବଦା ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଏବଂ ରୁଦ୍ରାକ୍ଷ ପୂଜା କରିଥିବା ବ୍ୟକ୍ତି ଅନ୍ତକାଳରେ ଶରୀରକୁ ତ୍ୟାଗ କରି ଶିବଲୋକରେ ସ୍ଥାନ ପ୍ରାପ୍ତ କରିଥାନ୍ତି ।
ପୌରାଣିକ କଥାରେ ଉଲ୍ଲେଖ କରାଯାଇଛି କି, ସତୀଙ୍କ ଦେହ ତ୍ୟାଗ ଦ୍ୱାରା ଭଗବାନ ଶିବଙ୍କୁ ବହୁତ ଦୁଃଖ ହୋଇଥିଲା ଏବଂ ସେହି ସ୍ଥାନରେ ଶିବଙ୍କ ଲୁହ ପଡି ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା । ସେଥିପାଇଁ ଯେଉଁ ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରନ୍ତି ତାଙ୍କର ସମସ୍ତ କଷ୍ଟ ଭଗବାନ ହରଣ କରିଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବି ରୁଦ୍ରାକ୍ଷ ଧାରଣ ର ଅନେକ ଫାଇଦା ରହିଛି । ଗ୍ରହର ପ୍ରତିକୂଳତା ପାଇଁ ମନୁଷ୍ୟ ରୋଗାଗ୍ରସ୍ତ ହୋଇଥାଏ । ସେଥିପାଇଁ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଗ୍ରହର ପ୍ରତିକୂଳତା ଦୂର ହୋଇଥାଏ । ଏହାସହିତ ରୁଦ୍ରାକ୍ଷ ଧାରଣ ଦ୍ୱାରା ଜୀବନର ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଥାଏ ।