ମୁମ୍ବାଇ(ଏଟିଆର ବ୍ୟୁରୋ): ରାସ୍ତା କଡରେ ଜେତା ପଲିଶ କରୁଥିଲେ । ଅନ୍ୟମାନଙ୍କ ଘରୁ ଚାଉଳ ଆଣି ଘରେ ରୋଷେଇ କରି ଖାଉ ଥିଲେ । ହେଲେ ତଥାପି ଛାଡି ନଥିଲେ ନିଜ ସ୍ୱପ୍ନକୁ । ଯେତେ ବାଧାବିଘ୍ନ ଆସିଲେବି ଗୀତ ଗାଇବାକୁ ଭୁଲିନଥିଲେ । ଆଉ ଆଜି ବଦଳିଛି ତାଙ୍କ ଭାଗ୍ୟ । ସେ ହେଉଛନ୍ତି ଭଟିଣ୍ଡାର ସନ୍ନି ହିନ୍ଦୁସ୍ତାନୀ । ସନ୍ନି ଇଣ୍ଡିଆନ ଆଇଡଲ ୧୧ ର ବିଜେତା ହୋଇଛନ୍ତି । ସନ୍ନିଙ୍କୁ ଇଣ୍ଡିଆନ ଆଇଡଲ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ମିଳିଛି । ଏହା ସହ ତାଙ୍କୁ ଭୂଷଣ କୁମାର ଟି-ସିରିଜର ଆସନ୍ତା ଫିଲ୍ମରେ ଗାଇବା ପାଇଁ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଛି ।
ସନ୍ନିଙ୍କ ପରେ ଇଣ୍ଡିଆନ ଆଇଡଲର ଦ୍ୱିତୀୟ ନମ୍ବରରରେ ରହିଛନ୍ତି ମହାରାଷ୍ଟ୍ରର ରୋହିତ ରାଉତ୍ । ରୋହିତଙ୍କ ପରେ ୱାଇଲ୍ଡକାର୍ଡ ମାଧ୍ୟମରେ ଶୋ ରେ ଏଣ୍ଟ୍ରି କରିଥିବା ଅଙ୍କୋନା ମୁଖାର୍ଜି ରନରଅପ ହୋଇଛନ୍ତି । ରୋହିତ ଓ ଅଙ୍କୋନା ଉଭୟଙ୍କୁ ରନର୍ସଅପର ଟ୍ରଫି ସହ ୫ ଲକ୍ଷ ଲେଖାଏଁ ଟଙ୍କା ମିଳିଛି । ସେହିପରି ଚତୁର୍ଥ ସ୍ଥାନରେ ରିଧମ କଲ୍ୟାଣ ଏବଂ ପଞ୍ଚମ ସ୍ଥାନରେ ଅଦୃଶ ଘୋଷ ରହିଛନ୍ତି । ଉଭୟଙ୍କୁ ତିନି ଲକ୍ଷ ଟଙ୍କା ମିଳିଛି ।