ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ବଜେଟ କାଳୀନ ଅଧିବେଶନ ଚାଲିଥିବା ବେଳେ ଖାଦ୍ୟ ସୁରକ୍ଷା ସମ୍ପର୍କରେ ପ୍ରଶ୍ନ ପଚାରି ବିରୋଧୀ ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ଯାହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି , ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୯୨ଲକ୍ଷ ୯୮ହଜାର ୫୮୨ ପରିବାରର ୩କୋଟି ୨୪ଲକ୍ଷ ୭୩ହଜାର ୩୭୦ ହିତାଧିକାରୀ ରହିଛନ୍ତି ।
ଅନ୍ୟପଟେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୮୩, ୦୩୫ ପରିବାରର ୩ଲକ୍ଷ ୧୨ ହଜାର ୩୦୧ଜଣ ହିତାଧିକାରୀ ସୁଲଭ ଦରରେ ଚାଉଳ ପାଉଛନ୍ତି । ଏହାବ୍ୟତିତ ବର୍ତ୍ତମାନ ସୁଦ୍ଧା ୭ଲକ୍ଷ ୧୮ହଜାର ୬୦୫ଟି ଦରଖାସ୍ତ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପାଇଁ ପଡିଥିବା ବେଳେ ସେଥିରୁ ଯୋଗ୍ୟ ହିତାଧିକାରୀ ଭାବେ ୨ଲକ୍ଷ ୨ହଜାର ବିବେଚିତ ହୋଇଛନ୍ତି । ତେବେ ଅନ୍ୟ ଦରଖାସ୍ତର ଯାଞ୍ଚ କରାଯାଉଛି ପରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯିବ । ଅନ୍ୟପଟେ ଆଙ୍ଗୁଳି ଛାପ ସ୍କାନିଂ ହୋଇପାରୁ ନଥିବାରୁ ହିତାଧିକାରୀ ତାଲିକାରୁ ଅଧିକାଂଶ ଲୋକ ବାଦ ପଡୁଛନ୍ତି । ତେବେ ଯେଉଁମାନଙ୍କର ଟିପ ଚିହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ଓ ଟିପ ଚିହ୍ନ ବଦଳରେ ଆଖି ସ୍କାନ କରାଯାଇ ବାୟୋମେଟ୍ରିକ ମ୍ୟାଚିଂ କରାଯିବା ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।