ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ଠାରୁ ବଡ କିଛି ସାହାର୍ଯ୍ୟ ଦରକାର କରୁଥିଲେ ସଭିଏଁ ଗୁଗଲ ଖୋଲିଥାନ୍ତି । ବାଟ ଖୋଜିବାର ଥିଲେ ଅବା କୌଣସି ବିଷୟରେ ଜାଣିବାକୁ ଥିଲେ ସମସ୍ତେ ନିଜର ପରମ ବନ୍ଧୁ ଗୁଗଲକୁ ଖୋଜିଥାନ୍ତି । ହେଲେ ବିଭିନ୍ନ ସମୟରେ ନିଜର ଆଞ୍ଚଳିକ କଥା ଜାଣିବା ପାଇଁ ହେଲେ ଆମେ ଗୁଗଲର ସାହାର୍ଯ୍ୟ ନେଲେ ମଧ୍ୟ ସେ ଆମକୁ ସାହାର୍ଯ୍ୟ କରିପାରିନଥାଏ । କାରଣ ଗୁଗଲ କିଛି ଆଞ୍ଚଳିକ ଭାଷା ବୁଝିପାରିନଥାଏ । ତେବେ ଏହିସବୁ ଅସୁବିଧାକୁ ଦେଖି ଗୁଗଲ କମ୍ପାନୀ ନିଜ ସାଇଡରେ ଧୀରେ ଧୀରେ କରି କିଛି କିଛି ଆଞ୍ଚଳିକ ଭାଷା ଯୋଡିବାରେ ଲାଗିଛି ।
ଭାରତରେ ପୂର୍ବରୁ ଗୁଗଲ ଇଂରାଜୀ ଭାଷା ବ୍ୟତିତ ତାମିଲ, ତେଲୁଗୁ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, କନଡ, ମାଲାୟଲମ ଭାଷା ବୁଝିପାରୁଥିବା ବେଳେ ଏଥିରେ ଏବେ ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ ଭାଷାକୁ ସାମିଲ କରାଯାଉଛି । ଯାହାଫଳରେ ଲକ୍ଷାଧିକ ଲୋକ ଗୁଗଲର ଅଧିକରୁ ଅଧିକ ଫାଇଦା ଉଠାଇପାରିବେ । ନିଜ ଅନୁବାଦ ଶ୍ରେଣୀରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରିବା ନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଏହି ଭାଷା ଗୁଡିକ ହେଲା କିନିୟାରୱାଣ୍ଡା, ଓଡିଆ, ତାତାର, ତୁର୍କମେନ ଏବଂ ଉୟିଘର । ଗତକାଲି ଏନେଇ ଗୁଗଲ ଟ୍ରାନସଲେଟର ସଫ୍ଟୱେର ଆଇଜାକ କ୍ୟାସୱେଲ ଘୋଷଣା କରିଛନ୍ତି । କ୍ୟାସୱେଲ କହିଛନ୍ତି, ବିଶ୍ୱରେ ୭୫ନିୟୁତରୁ ଅଧିକ ବ୍ୟକ୍ତି ବ୍ୟବହାର କରୁଥିବା ଏହି ଭାଷାଗୁଡିକୁ ଆମେ ଗୁଗଲ ଟ୍ରାନସଲେଟରେ ୪ବର୍ଷ ମଧ୍ୟରେ ଅର୍ନ୍ତଭୁକ୍ତ କରିଛୁ । ଫଳରେ ଗୁଗଲରେ ଭାଷା ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।