ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚେନ୍ନାଇର ମାଧବରାମ ରେ ଥିବା ଏକ କେମିକାଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଛି ଯେ ଘଟଣାସ୍ଥଳରେ ୩୧ ରୁ ଅଧିକ ଫାୟର ଟେଣ୍ଡର ସମେତ ଏକ ହଜାରରୁ ଅଧିକ ଅଗ୍ନିଶମ ଟିମ୍ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ଦୁର୍ଘଟଣାରେ କୌଣସି ଜନହାନି ହୋଇ ନାହିଁ ବୋଲି ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ।
ଫାୟାର ଆଣ୍ଡ ରେସ୍କ୍ୟୁ ସର୍ଭିସେଜର ପ୍ରମୁଖ କହିଛନ୍ତି କି, ଏହି ଦୁର୍ଘଟଣାରେ କୌଣସି ଜନହାନି ହୋଇ ନାହିଁ । ନିଆଁ ବ୍ୟାପିବାରୁ ରୋକିବା ପାଇଁ ଆମ ପାଖରେ ଏକ ବଡ ଚ୍ୟାଲେଞ୍ଜ ଥିଲା । ନିଆଁ ଲିଭାଇବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଉପଲବ୍ଧ ନଥିଲା । ଯେଉଁଥିପାଇଁ ଆମକୁ ଫୋମ୍ ପକାଇବାକୁ ପଡିଥିଲା ।
ସେପଟେ ଗୋଦାମରେ ଅଚାନକ୍ ନିଆଁ କେମିତି ଲାଗିଲା ସେନେଇ କୌଣସି କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ଶନିବାର ଅପରାହ୍ନ ୪ଟାରେ କେମିକାଲ ଗୋଦାମରେ ନିଆଁ ଲାଗିଯାଇଥିଲା । ଧୀରେ ଧୀରେ ନିଆଁ ବ୍ୟାପି ଭୟଙ୍କର ରୂପ ନେଇଥିଲା ।