ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : କରୋନା କରୁଣ ଏବେ କେବଳ ଚୀନ ପାଇଁ ଦୁଃଖ ହୋଇ ରହିନାହିଁ । ଏହା ଏବେ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବା ଆରମ୍ଭ କରି ସାରିଲାଣି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ବିଶ୍ୱର ୬୦ ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି । ପୂର୍ବରୁ ଆମେରିକାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି ଅଷ୍ଟ୍ରେଲିଆ ଏବଂ ଥାଇଲାଣ୍ଡରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇ ସାରିଲେଣି । ଚୀନ ପରେ ଏବେ ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଦକ୍ଷିଣ କୋରିଆ । ଦକ୍ଷିଣ କୋରିଆରେ ଏବେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ସାରା ବିଶ୍ୱକୁ ଯଦି ଆମେ ନଜରକୁ ନେବାର ତେବେ ପୁରା ବିଶ୍ୱରେ ୩ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣ ଭାଇରସରେ ପ୍ରାଣ ହରାଇ ସାରିଲେଣି । ସେହିଭଳି ୮୮ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ସାରିଲାଣି । ତେବେ କରୋନାକୁ ଦୃଷ୍ଟିରେ ରଖି ଏବେ ପ୍ରାୟ ଦେଶ ସେମାନଙ୍କ ବିମାନ ସେବାକୁ ବନ୍ଦ ରଖିଛନ୍ତି । ଭାରତ ମଧ୍ୟ ଚୀନକୁ ବିମାନ ଉଡାଣ ଉପରେ କଟକଣା ଜାରି କରିଛି । ସୂଚନାଯୋଗ୍ୟ କରୋନା ଭାଇରସ ଯୋଗୁ ଭାରତ ଏବେ ଇରାନ ନାଗରିକ ଭାରତ ଆସିବା ପାଇଁ ଜାରି ହୋଇଥିବା ଭିସାକୁ ବାତିଲ କରିଛି । ଇରାନରେ ଏବେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୫୧ ଜଣ ଆକ୍ରାନ୍ତ ହୋଇ ସାରିଲେଣି ।