କଟକ (ଏଟିଆର ବ୍ୟୁରୋ): ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି । କଟକର ବାଲିଯାତ୍ରା ପଡିଆରେ ଏକ ବିଶାଳ ଜନ ସଭା ସମ୍ବୋଧିତ ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନ ସାଧାରଣଙ୍କୁ ସମ୍ବୋଧିତ କରିବେ । ପ୍ରବାଦ ପୁରୁଷଙ୍କର ଜନ୍ମ ଜୟନ୍ତୀକୁ ପଞ୍ଚାୟତ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ । ତେଣୁ ବିଜୁବାବୁଙ୍କର ଜନ୍ମ ଜୟନ୍ତୀ ପାଇଁ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଛି ।
ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜୁ ବାବୁଙ୍କର ଆଦର୍ଶ, ସାହସିକତାର କଥା ସହ ନବୀନ ସରକାରଙ୍କର ୨୦ ବର୍ଷର ଶାସନର ସଫଳତାର ଗାଥା ଲୋକଙ୍କ ପାଖରେ ରଖିବ ଦଳ । ଏହାସହ ରକ୍ତ ଦାନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ମାଲ୍ୟାପର୍ଣ, ସଫେଇ କାର୍ଯ୍ୟକ୍ରମ ଦଳ ପକ୍ଷରୁ ଆୟୋଜିତ କରାଯିବ । ଏହା ବାଦ ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀ ପାଇଁ ଛାତ୍ର ବିଜେଡି, ଯୁବ ବିଜେଡି, ମହିଳା ବିଜେଡି, ଶ୍ରମିକ ସାମମୁଖ୍ୟ ପକ୍ଷରୁ ଭିନ୍ନ ଭିନ୍ନ ପ୍ରସ୍ତୁତି କରାଯାଇଛି । ଯେପରି ସଫେଇ ଅଭିଯାନ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ, ମୋ ପରିବାର କାର୍ଯ୍ୟକ୍ରମରେ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କାର୍ଯ୍ୟକ୍ରମ ଦଳ ପକ୍ଷରୁ ହାତକୁ ନିଆଯାଇଛି । ଦଳର ସୁପ୍ରିମ ନବୀନ ପଟ୍ଟନାୟକ ସବୁ ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳା ବିଜେଡ଼ି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନିଜ ଅଞ୍ଚଳର ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବିଜୁ ଜୟନ୍ତୀ ରାଜ୍ୟର ୩୧୪ ବ୍ଲକରେ ମଧ୍ୟ ପାଳନ କରାଯିବ । ଏହି ଅବସରରେ ବିଜୁ ବାବୁଙ୍କ ସାହାସିକତା ଓ ଆଦର୍ଶ ଏବଂ ଓଡ଼ିଶାକୁ ଭଲ ପାଉଥିବା ବିଷୟରେ ଲୋକଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଅବଗତ କରାଯିବ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀ କଟକ କିଲ୍ଲା ପଡିଆରେ ପହଞ୍ଚିବା ପରେ ପ୍ରଥମେ ବାରବାଟୀ ଷ୍ଟାଡିୟମକୁ ଯିବେ । ସେଠାରେ ଚାଲିଥିବା ରାଜ୍ୟସ୍ତରୀୟ ଆଦିବାସୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦ୍ୟାପନୀ ଉତ୍ସବରେ ଯୋଗଦେବେ । ପରେ ତଳ ବାଲିଯାତ୍ରା ପଡିଆରେ ପହଞ୍ଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ହୋଇଥିବାରୁ କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିଶନର ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଶାସକ ଦଳର ବିଧାୟକ ମାନେ ବି କ୍ଷେତ୍ର ନୀରିକ୍ଷଣ କରିଛନ୍ତି ।