ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କକୁ ପୁର୍ନଗଠିତ କରିବାକୁ ନେଇ ଅଧିସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ମାର୍ଚ୍ଚ ୧୮ରୁ ଗ୍ରାହକଙ୍କୁ ଟଙ୍କା ଉଠାଣରେ ଛୁଟ୍ ମିଳିପାରିବ । ବ୍ୟାଙ୍କକାରୀ ବିନିୟମନ ଅଧିନିୟମ ୧୯୪୯ ଅନୁଯାୟୀ ଏହି ଅଧିସୂଚନା ଜାରି କରାଯାଇଛି । ଏହାସହିତ ବ୍ୟାଙ୍କ ପାଇଁ ନୂତନ ନିର୍ଦ୍ଦେଶକ ମଣ୍ଡଳ ଗଠନ କରାଯାଇଛି । ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ଏବଂ ଉପ ପ୍ରବନ୍ଧନ ନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କୁ ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି ।
ପ୍ରକୃତରେ ଆରବିଆଇ ପକ୍ଷରୁ ମାର୍ଚ୍ଚ ୫ ତାରିଖରୁ ୟେସ୍ ବ୍ୟାଙ୍କ ଉପରେ ରୋକ୍ ଲଗାଯାଇଥିଲା । ଯେଉଁଥି ପାଇଁ ଜମାକାରୀମାନେ ତାଙ୍କ ଆକାଉଣ୍ଟରୁ ୩ ଅପ୍ରିଲ ପର୍ଯ୍ୟନ୍ତ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି କୁହାଯାଇଥିଲା । କିନ୍ତୁ ନୂତନ ଅଧିସୂଚନା ଅନୁଯାୟୀ ବ୍ୟାଙ୍କ ଉପରେ ଲାଗିଥିବା ରୋକ ମାର୍ଚ୍ଚ ୧୮ ରେ ହଟାଇ ଦିଆଯିବ । ଏହାପରେ ଗ୍ରାହକମାନେ ପୂର୍ବଭଳି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ।
ଅନ୍ୟପଟେ ୟେସ ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ଏସବିଆଇ ୪୯ ପ୍ରତିଶତ ସେୟାର କିଣିବା ପାଇଁ ଘୋଷଣା କରିଛି । ଏଥିରେ ୨୬ ପ୍ରତିଶତ ସେୟାରରେ ୩ ବର୍ଷର ଲକ୍ ଇନ୍ ରହିଛି । ଏହାର ଅର୍ଥ ଗୋଟେ ଥର କିଣିବା ପରେ ୩ ବର୍ଷ ପାଇଁ ଏହି ସେୟାରକୁ ବିକ୍ରି କରାଯାଇ ପାରିବ ନାହିଁ ।