ଇଣ୍ଡିଆ ଶବ୍ଦଟି ଶୁଣିଲେ ଆପେ ଆପେ ମନକୁ ଦେଶୀ ଭାବନା ଚାଲିଆସେ । ବିଦେଶରେ ନିଜ ଦେଶର ଲୋକଙ୍କ ସାମ୍ରାଜ୍ୟରେ ବୁଲିଆସିଲେ ମନ ବେଶ ଉତ୍ଫୁଳିତ ହୋଇଉଠେ । ଆଉ କେଉଁଠି ନା କେଉଁଠି ଗର୍ବ ମଧ୍ୟ ଲାଗେ । ଏପରି ଏକ ସ୍ଥାନ ହେଉଛି ସିଙ୍ଗାପୁରର ଲିଟିଲ୍ ଇଣ୍ଡିଆ ।
ନାମ ଅନୁସାରେ ସେଠାକାର ସବୁକିଛିରେ ଭାରତୀୟ ସଂସ୍କୃତିକୁ ଦେଖିବାକୁ ମିଳେ । ଖାଦ୍ୟପେୟ ହେଉ କିମ୍ବା ପୋଷାକ ପରିଚ୍ଛେଦ ସବୁ କ୍ଷେତ୍ରରେ ଭାରତୀୟ ସଭ୍ୟତା ବେଶ ବାରି ହୋଇପଡ଼େ । ଏଠାରେ ବିଶେଷ କରି ଦକ୍ଷିଣ ଭାରତୀୟମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳେ । ବିଭିନ୍ନ ସ୍ଥାନରେ ଭାରତୀୟ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ ମଧ୍ୟ ବେଶ ମନମୁଗ୍ଧକର । ସେହିଭଳି ହୋଲି ହେଉକି ଦିପାବଳୀ ଏମାନେ ଏସବୁ ପର୍ବକୁ ଧୁମଧାମରେ ପାଳନ କରନ୍ତି ।
ଇତିହାସକୁ ଗଲେ ଜଣାପଡ଼େ ବ୍ରିଟିଶମାନଙ୍କ ଜାତିଆଣା ମତଭେଦ ଯୋଗୁ କିଛି ଭାରତୀୟ ସିଙ୍ଗାପୁର ଠାରୁ ବିଚ୍ଛିନ୍ନ ଛୁଳିଆ କାମ୍ପଙ୍ଗ ନାମକ ସ୍ଥାନରେ ଆସି ବସତି ସ୍ଥାପନ କରିଥିଲେ । ଧୀରେ ଧୀରେ ସେମାନଙ୍କ ଜନସଂଖ୍ୟା ବଢ଼ିବାକୁ ଲାଗିଲା । ଫଳରେ ଜମିପାଇଁ ପରସ୍ପର ମଧ୍ୟରେ ପ୍ରତିନ୍ଦ୍ୱତିତା ଦେଖାଗଲା । ଶେଷରେ କିଛି ଭାରତୀୟ ସିଙ୍ଗାପୁରରେ ଆସି ବସତି ସ୍ଥାପନ କରିଥିଲେ ଯାହାକୁ ସେମାନେ ପରବର୍ତୀ ସମୟରେ ‘ଲିଟିଲ୍ ଇଣ୍ଡିଆ’ ନାମ ଦେଇଥିଲେ । ଏବେ ସିଙ୍ଗାପୁରର ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ହେଉଛନ୍ତି ଭାରତୀୟ ।