ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କାହାର ସିଟ କଭର ନାହିଁ ତ’ ଆଉ କାହାର ମିରର । ବ୍ୟାଟେରୀ କଥା ତ’ ନକହିଲେ ଭଲ । ଖାଲି ନାକୁ ଗାଡି ସିନା ରହୁଛି ହେଲେ ଭିତର ଖୋଳ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ବେଡ଼ଧକ ହରିଲୁଟ ହେଉଛିି ପୁଣି ଥାନା ଭିତରେ । ସବୁଠୁ ବଡ଼ କଥା ହେଉଛି ଗୋଟିଏ କି’ ଦୁଇଟି ନୁହେଁ ବରଂ କମିଶନରେଟ ପୁଲିସର ଅଧିକାଂଶ ଥାନାରେ ଏହି ଘଟଣା ନଜରକୁ ଆସିଛି ।
ଅଭିଯୋଗ ହୋଇଛି ଆପୋଷ ବୁଝାମଣାରେ ଏମିତି ହାତ ସଫେଇ କାର୍ଯ୍ୟ ଚାଲିଛି । ଅନୁସନ୍ଧାନରୁ ଜଣାପଡିଛି ଥାନାରେ ରହିଥିବା ଗାଡି ମଧ୍ୟରୁ ୯୦ପ୍ରତିଶତ ଗାଡିରେ ବ୍ୟାଟେରୀ ନାହିଁ । ଏତିକି ନୁହେଁ ଆହୁରି ଅନେକ ଗାଡିରେ ରିମଠୁ ନେଇ ଟାୟାର ଓ ଟ୍ୟୁବ ପର୍ଯ୍ୟନ୍ତ ସବୁ ଗାଏବ ହୋଇଯାଇଛି । ଏତଗଲା ୨ଚକିଆ କଥା ଯଦି ଥାନାରେ କୌଣସି ୪ ଚକିଆ ଗାଡି ଫସିଲା ତେବେ କଥା ସରିଲା । ମ୍ୟୁଜିକ ସିଷ୍ଟମଠୁ ନେଇ ଷ୍ଟେପପିନ ସବୁ ଗାଏବ ହୋଇଯିବ । ଏବେ ବି ଥାନାରେ ଅନେକ ଗାଡି ରହିଛି ଯାହା ଏସବୁର ଜଳଜଳ କରି ପ୍ରମାଣ ଦେଉଛି । ଏଠି ପ୍ରଶ୍ନ ଉଠୁଛି ଥାନାକୁ ଆସିଥିବା ବେଳେ ଗାଡିଗୁଡିକ ଠିକଠାକ ରହିଥିବା ବେଳେ ପରବର୍ତ୍ତି ସମୟରେ ତା’ର ହୋଲିଆ ବଦଳିଯାଉଛି କେମିତି? କାହିଁକି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ? ନା ମିଲିଭଗତରେ ଚାଳିଛି ବେପାର? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ନିକଟରେ କମିଶନରେଟ ପୁଲିସ ଅନେକଙ୍କୁ ଗାଡି ହସ୍ତାନ୍ତର କରିଥିଲା । ଯାହା ନିହାତି ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।
କିନ୍ତୁ ସେଥିରେ ବି ଅନେକ ଗାଡିର ଯନ୍ତ୍ରାଂଶ ଚୋରି ହୋଇଯାଇଥିଲା । ଅଭିଯୋଗ ହୋଇଛି ଏଭଳି କାରସାଦି ପଛରେ ଥାନାର ତଳିଆ କର୍ମଚାରୀମାନେ ହିଁ ସାମିଲ ରହୁଛନ୍ତି । ଏ ଗାଡିରୁ ଜିନିଷ କାଢ଼ି କେତେବେଳେ ନିଜ ଗାଡି ନଚେତ ସମ୍ପର୍କୀୟଙ୍କୁ ଦେଇ ଅନୁକମ୍ପା ଗୋଟାଉଛନ୍ତି । ସେପଟେ ଚୋରି ନହେବା ନେଇ ଥାନାରେ ଏମୁଣ୍ଡରୁ ସେ ମୁଣ୍ଡ ସିସିଟିଭି ଖଞ୍ଜାଯାଉଛି । ହେଲେ ଏସବୁ ଘଟଣାକୁ ଦେଖିଲେ ସିସିଟିଭି ଶୋଇ ରହିଥିବା ମନେହୁଏ । ତୁରନ୍ତ ବିଭାଗୀୟ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ଖୁବଶୀଘ୍ର ଏକ ଥାନାରୁ ଜଣେ କର୍ମଚାରୀ ଯନ୍ତ୍ରାଂଶ କାଢ଼ୁଥିବାର ଫୁଟେଜ ପ୍ରକାଶ ପାଇବ ।