ବାଙ୍କୀ(ଏଟିଆର ବ୍ୟୁରୋ): କଟକ ଜିଲ୍ଲା ବାଙ୍କୀ ବ୍ଲକର କାଲିପୋଇ ପଞ୍ଚାୟତର ଉଆସପଲ୍ଲୀ ଗାଁକୁ ଆସନ୍ତା ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ କରି ଦିଆଯାଇଛି । ଏହି ସଟ୍ ଡାଉନ୍ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତ ରହିବ । ତେବେ ବର୍ତ୍ତମାନ ରାଜ୍ୟକୁ ବାହାର ରାଜ୍ୟରୁ ବହୁ ପ୍ରବାସୀ ଓଡିଆ ମାନେ ଫେରୁଛନ୍ତି । ଉଆସପଲ୍ଲୀ ଗାଁକୁ ମଧ୍ୟ କିଛି ପ୍ରବାସୀ ଓଡିଆ ଫେରିଛନ୍ତି । ହେଲେ ସେମାନେ କ୍ୱାରାଣ୍ଟାଇନ ସେଣ୍ଟରକୁ ନ ଯାଇ ଘରକୁ ପଳାଉଥିବା ଅଭିଯୋଗ ହୋଇଛି । ଏହା ସହ ପରିବାର ଲୋକ ମାନଙ୍କ ସହ ଗାଁ ଭିତରେ ବୁଲା ବୁଲି କରୁଥିବାର ଅଭିଯୋଗ ହୋଇଛି ।
ଏହି ଗାଁରେ ଦୁଇ ଜଣ ଯୁବକ ନିକଟରେ କଲିକତା ଓ ହାଇଦ୍ରାବାଦରୁ ଫେରିଥିଲେ । ତେବେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଏମାନେ ୨୧ ଦିନ କ୍ୱାରେଣ୍ଟାଇନ ସେଣ୍ଟରେ ରହିବା କଥା । ହେଲେ ଏମାନେ କ୍ୱାରାଣ୍ଟାଇନ ସେଣ୍ଟରରେ ନ ରହି ଗାଁରେ ବୁଲାବୁଲି କରୁଥିଲେ । ଏହି ଖବର ପାଇବା ପରେ ଗାଁ ସରପଞ୍ଚ ସୁବାସ ଚନ୍ଦ୍ର ସାହୁ ବୈଦ୍ୟେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଦୁଇ ଯୁବକଙ୍କୁ ଧରି କ୍ୱାରାଣ୍ଟାଇନ ସେଣ୍ଟରେ ରଖିଛି । ଏହା ସହ ଯୁବକ ମାନେ ଗାଁରେ ବୁଲାବୁଲି କରୁଥିବାରୁ ଆସନ୍ତା ୪୮ ଘଣ୍ଟା ପାଇଁ ଗାଁକୁ ସଟ୍ ଡାଉନ୍ କରିଦିଆଯାଇଛି । ସଂକ୍ରମଣ ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବାର ଜଣା ପଡିଛି ।