ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟରେ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେବ ଘରୋଇ ବସ ଚଳାଚଳ ବନ୍ଦ ହୋଇ ରହିଥିଲା । ତେବେ ସ୍ଥିତି ଧିରେ ଧିରେ ସ୍ୱଭାବିକ ହେବାରୁ ସରକାରଙ୍କ ପକ୍ଷରୁ ରାଜ୍ୟ ଭିତରେ ଘରୋଇ ବସ୍ ଚଳାଚଳ କରିବା ପାଇଁ ଅନୁମତି ମିଳିଥିଲା । ହେଲେ ଘରୋଇ ବସ୍ ମାଲିକ ସଂଘ ତରଫରୁ କିଛି ଦାବି ରଖା ଯାଇଥିବାରୁ ବସ୍ ଚଳାଚଳ ଆରମ୍ଭ ହୋଇପାରୁ ନଥିଲା । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ ହୋଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବାକୁ ରାଜି ହେବାରୁ ଆଜି କିଛି ବସ୍ ରାଜ୍ୟ ଭିତରେ ଗଡିଛି । ରାଜ୍ୟ ଭିତରେ ବସ୍ ଚଳାଚଳ ସମ୍ପର୍ଣ୍ଣ ହେବା ପାଇଁ ୧୦ ଦିନ ଲାଗିବ ବୋଲି ଜଣାପଡିଛି । ବସ୍ ଚଳାଚଳ କରିବା ପୂର୍ବରୁ ବସ୍ ଗୁଡିକ ସାନିଟାଇଜ କରାଯାଉଛି । ଏହା ସହ ବସରେ ଯେତିକି ସିଟ ସେତିକି ଯାତ୍ରୀ ଯାତ୍ରା କରିପାରିବେ ବୋଲି ନିଷ୍ପତି ହୋଇଛି । ସେହିପରି ଯାତ୍ରା କରୁଥିବା ଯାତ୍ରୀ ମାନେ ମାସ୍କା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ବସ୍ ଭିତରେ ଯଥାସମ୍ଭବ ସାମାଜିକ ଦୂରତା ବଜାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।