ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀର ଶୋପିଆନ ଜିଲ୍ଲାର ଅମିଷପୋରାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦିଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏହି ଅବସରରେ ସୁରକ୍ଷାକର୍ମୀଙ୍କ ଲକ୍ଷରେ ୩ ଜଣ ଆତଙ୍କବାଦି ନିହତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଘାଟିରେ ଏହା ଦ୍ୱିତୀୟ ଏନକାଉଣ୍ଟର । ଏଥିରେ ୬ ଜଣ ଆତଙ୍କବାଦି ନିପାତ ହୋଇ ସାରିଲେଣି ।
ଏନେଇ ଜଣେ ଅଧିକାରୀ କହିଛନ୍ତି କି, ଯେତେବେଳେ ଆମିଷପୋରା ଅଞ୍ଚଳରେ ଆତଙ୍କବାଦି ଲୁଚି ଥିବା ଖବର ଗୁଇନ୍ଦା ସୂତ୍ରରୁ ସୁରକ୍ଷାବାହୀନ ଜାଣିବାକୁ ପାଇଥିଲେ, ଏହାପରେ ପୋଲିସ ସେନା ଏବଂ ସିଆରପିଏଫର ସଂଯୁକ୍ତ ଟମ୍ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାଉ କରିଦେଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସେହିସମୟରେ ଆତଙ୍କବାଦିମାନେ ସୁରକ୍ଷାବାହିନୀ ଟିମ୍ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷାବାହିନୀ ଗୁଳିବିନିମୟ କରିଥିଲେ ଏବଂ ତାଙ୍କ ଲକ୍ଷରେ ୩ ଜଣ ଆତଙ୍କବାଦି ନିପାତ ହୋଇଥିଲେ । ଏମାନଙ୍କର ପରିଚୟ ମିଳିପାରି ନାହିଁ । ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । କାରଣ ଆହୁରି ଆତଙ୍କବାଦୀ ଲୁଚିକି ରହିଥିବା ସନ୍ଦେହ କରାଯାଉଛି ।