ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଲୱେ ପକ୍ଷରୁ ସ୍ପେଶାଲ ଟ୍ରେନ୍ ସଂଚାଳନ କରାଯାଉଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଉଠାଉଛି ରେଲୱେ । ଏହି ପରିପ୍ରେକ୍ଷୀରେ ଦେଶର କିଛି ରେଲୱେ ଷ୍ଟେସନରେ କଣ୍ଟାକ୍ଟଲେସ ଚେକିଙ୍ଗ ସିଷ୍ଟମ ଲାଗୁ କରାଯାଇଛି । ସେଥିପାଇଁ ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ ଏକ ଆପ୍ଲିକେସନ ପ୍ରସ୍ତୁତ କରିଛି । ସେହିଅନୁଯାୟୀ କ୍ୟୁଆର କୋଡ ସହାୟତାରେ ପ୍ୟାସେଞ୍ଜର ସହ ଜଡିତ ସୂଚନା ଟିଟି ଙ୍କ ମୋବାଇକୁ ଆସିଯିବ । ଏହାସହିତ ଏକ ମିନିଟ୍ ମଧ୍ୟରେ ଟିକେଟ ଚେକିଂ ବି ହୋଇଯିବ । ଯାହାଫଳରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସହାୟକ ମିଳିବ ।
ପ୍ରୟାଗରାଜ ଡିଭିଜନ୍ ପକ୍ଷରୁ ପ୍ରୟାଗରାଜ ଷ୍ଟେସନରେ କଣ୍ଟାକ୍ଟଲେସ୍ ଟିକେଟ ଚେକିଙ୍ଗ ସିଷ୍ଟମ ଲାଗୁ କରାଯାଇଛି । ଏହି ଟେକନିକ୍ ଜରିଆରେ ଏବେ ଯାତ୍ରୀଙ୍କ ଟିକେଟ ଚେକ କରାଯାଉଛି । ରେଲୱେ ଷ୍ଟେସନକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ପରେ ବୋଡିଂ ପ୍ରକ୍ରିୟା ଆରମ୍ଭ ହେଉଛି । କଣ୍ଟାକ୍ଟଲେସ ଟିକେଟ ଚେକିଙ୍ଗ ସିଷ୍ଟମ ଅନୁଯାୟୀ ଟ୍ରେନ ଟିକେଟ ବୁକ୍ କରିବା ସମୟରେ ରେଲୱେ ପକ୍ଷରୁ ଏକ ୟୁଆରଏଲ ଲିଙ୍କ ଏବଂ କ୍ୟୁଆର କୋଡ ଏସଏମଏସ ଜରିଆରେ ଯାତ୍ରୀଙ୍କୁ ପଠାଯିବ । ଯାହାକୁ ଯାତ୍ରୀଙ୍କୁ ଷ୍ଟେସନରେ ଟିକେଟ ଚେକିଂ ସମୟରେ ଦେଖାଇବାକୁ ପଡିବ ।
ଧୀରେ ଧୀରେ ସାରା ଦେଶରେ କଣ୍ଟାକ୍ଟଲେସ ଟିକେଟ ଚେକିଂ ସିଷ୍ଟମ ଲାଗୁ କରାଯିବ । ଏଥିପାଇଁ ପ୍ରସ୍ତୁତିରେ ଲାଗିପଡିଛି ରେଲୱେ ।