ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମଙ୍ଗଳ ସୂତ୍ରକୁ ବୈବାହିକ ଜୀବନର ପ୍ରତିକ ବା ସୁହାଗର ଚିହ୍ନ ବୋଲି କୁହାଯାଇଥାଏ । ସେଥିପାଇଁ ବିବାହ ପରେ ବିବାହିତା ନାରୀମାନେ ବେକରେ ମଙ୍ଗଳ ସୂତ୍ର ପିନ୍ଧି ଥାନ୍ତି । ତେବେ ଆସନ୍ତୁ ଜାଣିବା ମଙ୍ଗଳ ସୂତ୍ର ପିନ୍ଧିବାର କିଛି ଧାର୍ମିକ ଏବଂ ଜ୍ୟୋତିଷ ରହସ୍ୟ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା ଗୁରୁଙ୍କ ପ୍ରଭାବରୁ ହୋଇଥାଏ । ଗୁରୁ ଗ୍ରହକୁ ବୈବାହିକ ଜୀବନରେ ସୁଖ, ଧନ ଏବଂ ଜ୍ଞାନର କାରକ ବୋଲି କୁହାଯାଏ । ଏବଂ ଏହା ଧର୍ମର କାରକ ହୋଇଥାଏ । ଏହା ସହିତ ଶନି ଦେବଙ୍କର ପ୍ରତିକ ହେଉଛି କଳା ରଙ୍ଗ । ଶନି ଦେବ ସ୍ଥାୟୀତ୍ୱ ଏବଂ ନିଷ୍ଠାର କାରକ ଅଟନ୍ତି । ଗୁରୁ ଏବଂ ଶନିଙ୍କ ମଧ୍ୟରେ ସମାନ ସମ୍ବନ୍ଧ ଥିବା ଯୋଗୁଁ ବୈବାହିକ ଜୀବନରେ ମଙ୍ଗଳ ସୂତ୍ର ସୁଖ ଏବଂ ସ୍ଥାୟୀତ୍ୱ ଆଣି ଦେଇଥାଏ ।
ବିବାହ ସମୟରେ ସମସ୍ତଙ୍କ ନଜର ନବବଧୂଙ୍କ ଉପରେ ରହିଥାଏ । ଏହାଦ୍ୱାରା ନବବଧୂଙ୍କୁ ଖରାପ ଦୃଷ୍ଟି ଲାଗିବାର ଭୟ ରହିଥାଏ । କିନ୍ତୁ ମଙ୍ଗଳ ସୂତ୍ରରେ ଗୁନ୍ଥା ହୋଇଥିବା କଳା ମାଳି ଦ୍ୱାରା ଅଶୁଭ ଶକ୍ତି ନବବଧୂଙ୍କ ପାଖ ମାଡି ନଥାନ୍ତି । ଏହାକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ । ବିବାହିତା ନାରୀଙ୍କ ବେକରେ ଥିବା ମଙ୍ଗଳ ସୂତ୍ର ପତୀଙ୍କୁ ବିପଦରୁ ରକ୍ଷା କରିଥାଏ ।
ମଙ୍ଗଳ ସୂତ୍ରରେ ସୁନାର ଅଂଶ ରହିଥାଏ । ଶାସ୍ତ୍ର ଅନୁଯାୟୀ ସୁନା ଧାରଣ ଶରୀର ପାଇଁ ଶୁଦ୍ଧ ହୋଇଥାଏ । ସ୍ନାନ ସମୟରେ ସୁନାକୁ ସ୍ପର୍ଶ କରି ଯେଉଁ ପାଣି ଶରୀରରେ ବୋହିଥାଏ, ତାହାଦ୍ୱାରା ପାପରୁ ମୁକ୍ତି ମିଳିଥାଏ ।