ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯାହା ରୋଜଗାର ସେଥିରେ ପରିବାର ଚଳିବା କଷ୍ଟ । ଏଥିରେ ପୁଣି ଏବେ ଝିଅର ଚିକିତ୍ସା ଖର୍ଚ୍ଚ । ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି ଗିରିଧାରୀ ତରାଇଙ୍କ ଲାଗି । ଆମେ କହୁଛୁ କୃଷ୍ଣପ୍ରସାଦ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ବେଡରେ ପଡିଥିବା ଛାତ୍ରୀ ମାନସୀ ତରାଇଙ୍କ କଥା । ତାଙ୍କ ଅବସ୍ଥା ଅତି ଗୁରୁତର ରହିଛି ।
ପ୍ରତି ମୁହୂର୍ତରେ ଆବଶ୍ୟକ ପଡୁଛି ଚିକିତ୍ସା ଲାଗି ମୋଟା ଅଙ୍କର ଟଙ୍କା । ହେଲେ ଟଙ୍କା କେଉଁଠୁ ବା ଆସିବ । ଚିନ୍ତାରେ ରହିଛନ୍ତି ଗିରିଧାରୀ । ଏପରିସ୍ଥଳେ ତାଙ୍କୁ ସହଯୋଗର ହାତ ବଢ଼ାଇବା ଲାଗି ସେ ଅନୁରୋଧ କରିଛନ୍ତି । ତେବେ ଏହି ଘଟଣାକୁ ପ୍ରଥମେ ଲୋକ ଲୋଚନକୁ ଆଣିଥିବା ଯୁବ ସାମ୍ବାଦିକ ଜିନୁ ପଲାଇ(ନ୍ୟୁଜ୭)ମଧ୍ୟ ଏନେଇ ଏକ ଅଭିଯାନ ଆରମ୍ଭ କରିଛନ୍ତି । ମାନସୀଙ୍କୁ ସୁସ୍ଥ କରିବା ଲାଗି ସେ ଫେସବୁକ ମାଧ୍ୟରେ ସହାୟତାର ରାଶି ସାଉଁଟିବାରେ ଲାଗିଛନ୍ତି । ୫ଦିନ ଭିତରେ ସେ ପାଖାପାଖି ୫୦ହଜାରରୁ ଅଧିକ ଟଙ୍କା ଯୋଗାଡ କରିସାରିଥିବା ଜିନୁ ଜଣାଇଛନ୍ତି ।
ତେବେ ଏହି କ୍ଷେତ୍ରରେ ସହଯୋଗର ହାତ ମଧ୍ୟ ବଢ଼ାଇଛି ଏଟିଆର ଟିମ । ୫ହଜାର ଟଙ୍କା ସହାୟତା ଦେଇ ମାନସୀର ଆଶୁ ଆରୋଗ୍ୟ କାମନା କରିଛି । ଯଦି କୌଣସି ସହୃଦୟ ବ୍ୟକ୍ତି ମାନସୀଙ୍କୁ ସହଯୋଗର ହାତ ବଢ଼ାଇବାକୁୁ ଚାହୁଁଛନ୍ତି ତେବେ ୯୪୩୯୭୪୯୬୧୬ ନମ୍ବରରେ ଯୋଗାଯୋଗ କରି ପାରିବେ । ଆପଣଙ୍କ ଛୋଟିଆ ସାହାଯ୍ୟ ଏକ ନିରିହ ଛାତ୍ରୀର ଜୀବନ ବଞ୍ଚାଇବାରେ ସହାୟକ ହେବ ।