ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସମଗ୍ର ବିଶ୍ୱରେ ଏବେ କୋରୋନା ସ୍ଥିତି ଅସମ୍ଭାଳ । କୋରୋନା ମହାମାରୀ ବର୍ତ୍ତମାନ ଦେଶର ଅର୍ଥନିତିକୁ ଦୁର୍ବଳ କରି ଦେଇଛି। ବିଶ୍ୱର ଅର୍ଥନିତି ଏବେ ଭୁଷୁଡି ପଡିଛି। ଏହାର କରାଳ ପ୍ରଭାବରୁ କେହି ମୁକୁଳି ପାରିନାହାନ୍ତି । ଏଭଳି ଏକ ସଙ୍କଟ ସମୟରେ ଅବିଭାବକମାନେ ନିଜ ଜୀବିକା ପାଇଁ ଲଢେଇ କରୁଥିବା ବେଳେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକ ଅବିଭାବକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇ ଆସୁଛି । ଯାହାକୁ ନେଇ ବିଭିନ୍ନ ସମୟରେ ରାଜ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି ଅଭିଭାବକ । ବର୍ତ୍ତମାନ ପିଲାମାନେ ସ୍କୁଲ ଯାଉନଥିବା ବେଳେ ସ୍କୁଲ ଟ୍ରାନ୍ସପୋର୍ଟ ଫି , ଡେ ବୋର୍ଡି ଫି ଇତ୍ୟାଦି ଛାଡ କରାଯାଉ ବୋଲି ଅଭିଭାବକ ମାନେ ଦାବି କରି ଆସୁଛନ୍ତି ।
ପ୍ୟାରେଣ୍ଟସ ଫୋର୍ମ ଅଭିଯୋଗ କରିଛି ଯେ ମାର୍ଚ୍ଚ ମାସ ଠାରୁ ସ୍କୁଲ ଗୁଡିକ ବନ୍ଦ ରହିଛି । ଏବେ ଅନଲାଇନରେ କ୍ଲାସ ଚାଲୁଛି । ମାତ୍ର ସ୍କୁଲ ଗୁଡିକ ଏବେ ଟ୍ରାନସପୋର୍ଟ ଫି ଆଦାୟ କରୁଛନ୍ତି । ସେହିଭଳି ଡେ ବୋଡିଂ ବନ୍ଦ ରହିଛି ମାତ୍ର ଏନେଇ ସ୍କୁଲ ଫି ଦାବି କରୁଛି । ଅନଲାଇନ କ୍ଲାସରେ ମଧ୍ୟ ପାତରଅନ୍ତର କରାଯାଉଛି । ଯେଉଁ ଅଭିଭାବକମାନେ ଫି ଦେଉ ନାହାନ୍ତି ତାଙ୍କ ପିଲାଙ୍କୁ ଅଲଗା ସେକ୍ସନ କରି ଅନଲାଇନ କ୍ଲାସ କରାଯାଉଥିବା ଅଭିଯୋଗ କରିଛି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ୟାରେଣ୍ଟସ ଫୋରମ। ଏନେଇ କଥା ହାଇକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଛି ।
ତେବେ ଏହି ଭିତରେ ଏବେ ଆଉ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଏବେ ଅବିଭାବକମାନେ ପ୍ରତିବାଦ କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଆକ୍ରୋଶମୂଳକ ଭାବେ ଅଭିଭାବକଙ୍କ ଉପରେ ମିଥ୍ୟା ପୋଲିସ୍ କେସ୍ ଓ ଅପପ୍ରଚାର ଚଳାଇଛନ୍ତି ବୋଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ୟାରେଣ୍ଟସ ଫୋରମ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ।