ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭକ୍ତ ଓ ଭଗବାନଙ୍କ ମଝିରେ ଦୀର୍ଘ ୫ ମାସ ହେବ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କରୋନା । ଯେଉଁଥି ପାଇଁ ଭଗବାନଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ଭକ୍ତ । କିନ୍ତୁ ଏହାରି ମଧ୍ୟରେ କିଛି ରାଜ୍ୟରେ କରୋନା କଟକଣା ସମାନ୍ୟ କୋହଳ କରାଯିବା ସହ କିଛି ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲା ହୋଇଛି ବୈଷ୍ଣବ ଦେବୀ ମନ୍ଦିର । ମାତ୍ର ମହାମାରି କରୋନା ପାଇଁ କୌଣସି ଭକ୍ତ ସହଜରେ ମାତାଙ୍କୁ ଦର୍ଶନ କରି ପାରିବେ ନାହିଁ । ସେଥିପାଇଁ ଭକ୍ତଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।
ବୈଷ୍ଣବ ଦେବୀ ଟ୍ରଷ୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର କହିଛନ୍ତି କି, କରୋନା ବ୍ୟାପିବାରୁ ରୋକିବା ପାଇଁ ମାର୍ଚ୍ଚ ୧୮ ରୁ ଐତିହାସିକ ରୂପେ ବୈଷ୍ଣବ ଦେବୀଙ୍କ ଯାତ୍ର ଉପରେ ରୋକ ଲଗା ଯାଇଥିଲା । କିନ୍ତୁ ଏବେ ପ୍ରଶାସନ ପକ୍ଷରୁ ଧାର୍ମିକ ସ୍ଥଳ ଖୋଲିବାର ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ କରୋନା କୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
ମାତାଙ୍କ ଯାତ୍ରାରେ ସାମିଲ ହେବା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ କିଛି ନିୟମ କରାଯାଇଛି । ଯେପରିକି ଭକ୍ତଙ୍କୁ ଖାସ କରି ସାମାଜିକ ଦୂରତା ମାସ୍କ ପିନ୍ଧିବା ଉପରେ ଧ୍ୟାନ ରଖିବାକୁ ହେବ । ଏହାସହିତ ସମସ୍ତ ପ୍ରବେଶ ଦ୍ୱାରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏହାବ୍ୟତିତ ପ୍ରତ୍ୟେକ ଭକ୍ତଙ୍କ ଫୋନ ରେ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ।
ପ୍ରଥମ ସପ୍ତାହରେ ପ୍ରତିଦିନ ଦୁଇ ହଜାର ଭକ୍ତ ମାତାଙ୍କ ଦର୍ଶନ କରି ପାରିବେ । ଯେଉଁଥିରେ କେବଳ ୧୯୦୦ ଭକ୍ତ ଜମ୍ମୁ-କାଶ୍ମୀରର ହୋଇଥିବା ବେଳେ ଅନ୍ୟ ୧୦୦ ଜଣ ଭକ୍ତ ଅନ୍ୟ ପ୍ରଦେଶରୁ ସାମିଲ ହେବେ । ଜମ୍ମୁ-କାଶ୍ମୀରର ବାହାରୁ ଆସିବାକୁ ଥିବା ଭକ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଯାହାଙ୍କର ରିପୋର୍ଟ ନେଗେଟିଭ ଥିବ ସେହି ମାନଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ମିଳିବ ।
ସବୁଠାରୁ ବଡ କଥା ହେଉଛି ଏହି ଯାତ୍ରା ପାଇଁ କୌଣସି ରୋଗୀ, ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସ ଶିଶୁଙ୍କୁ ଧାର୍ମିକ ସ୍ଥଳ ଭିତରକୁ ପ୍ରବେଶର ଅନୂମତି ନାହିଁ ।