ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କ୍ୟାପିଟାଲ ଥାନା ଅଧିନରେ ଥିବା ଏକ ହୋଟେଲରୁ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଫ୍ୟାନରେ ଦଉଡି ଲଗାଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏକ ହୋଟେଲ ଭିତରେ ଘଟିଥିବା ଏହି ଘଟଣା ଏବେ ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ହୋଇଥିବା ବେଳେ ମୃତ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା ବୋଲି ସୂଚନା ମିଳିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଛି । ଉଭୟଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି । ରିପୋର୍ଟ ଅନୁସାରେ, ଅଶୋକନଗରରେ ଥିବା ସେନାପତୀ ହୋଟେଲର ରୁମ ନମ୍ବର ୧୧୪ରେ ଉଭୟ ଏକାଠି ରହୁଥିଲେ । ଉଭୟଙ୍କ ଘର ପଶ୍ଚିମବଙ୍ଗ ହାୱଡା ଅଞ୍ଚଳରେ । ଗତ ୨୨ତାରିଖରୁ ରହିଆସୁଥିବା ବେଳେ ଏମାନେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଲେ ସେନେଇ ଅଧିକ ଖୋଳତାଡ ଚଳାଇଛି ପୁଲିସ । ପାରିବାରିକ କଳହ ନଚେତ ପ୍ରେମ ଜନିତ ସମସ୍ୟା ରହିଥିବା ଘଟଣା ପଛର କାରଣ ବୋଲି ପୁଲିସ ଅନୁମାନ କରୁଛି । ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏନେଇ ଅଧିକ ଖୋଳତାଡ ଜାରି ରଖିଛି ।