ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ତାର ସ୍ୱଦେଶୀ ଭ୍ୟାକ୍ସିନ ଉପରେ ଦ୍ରୁତ ବେଗରେ କାମ କରୁଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ଆଗାମୀ ବର୍ଷ ଫେବୃଆରୀ ସୁଦ୍ଧା ଆସିପାରେ କୋଭାକ୍ସିନ । ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ଭାରତ ଭାୟୋଟିକ ସଂଯୁକ୍ତ ରୂପେ ଏହି ସ୍ୱଦେଶୀ ଭ୍ୟାକ୍ସିନର ବିକାଶ କରୁଛନ୍ତି ।
ଆଇସିଏମଆର ର ବରିଷ୍ଠ ବୈଜ୍ଞାନିକ ରଜନୀ କାନ୍ତ କହିଛନ୍ତି କି, ଭଲ ପ୍ରଭାବ ଦେଖାଇଛି କୋଭାକ୍ସିନ । ଆଶା ରହିଛି କି ଆଗାମୀ ଫେବୃଆରୀ ବା ମାର୍ଚ୍ଚ ମାସ ସୁଦ୍ଧା ଆସିପାରେ ଏହି ଭ୍ୟାକ୍ସିନ । ଜୀବଯନ୍ତୁଙ୍କ ଉପରେ ଭ୍ୟାକ୍ସିନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୁରକ୍ଷିତ ଏବଂ ପ୍ରଭାବି ପ୍ରମାଣିତ ହୋଇଛି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବାକି ରହିଛି ।
ବରିଷ୍ଠ ସରକାରୀ ବୈଜ୍ଞାନିକ ଆହୁରି ମଧ୍ୟ କହିଛନ୍ତି କି, ଅକ୍ଟୋବର ଶେଷରେ ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ଫେବୃଆରୀରେ ଲଞ୍ଚ ହେବା ଦ୍ୱାରା କୋଭାକ୍ସିନ ଭାରତର ପ୍ରଥମ ଦେଶୀ ଭ୍ୟାକ୍ସିନ ହୋଇଯିବ । ସେପ୍ଟମ୍ବରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଥିଲେ କି କୋଭିଡ୧୯ ଭ୍ୟାକ୍ସିନ ପାଇଁ ସରକାର ଜରୁରୀକାଳୀନ ମଞ୍ଜୁରୀ ଦେବା ଉପରେ ବିଚାର କରୁଛନ୍ତି ।