ଢାକା(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଜାଇଛନ୍ତି । ସେଠାରେ ସେ ବହୁ ପୁରୁଣା ଜେଶୋରେଶ୍ୱରୀ ଦେବୀ ମା କାଳୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ମୋଦୀ ଆଜି ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ରୀତିନୀତିରେ ବାଜା ବଜାଇ ସ୍ୱାଗତ କରାଯାଇଥିଲା ।
ଏହାପରେ ସେ ମାଙ୍କର ପୂଜା ଆରମ୍ଭ କରିଥିଲେ ଓ ପରେ ତାଙ୍କ ମଥାରେ ହାତରେ ତିଆରି ମୁକୁଟ ଲଗାଇଥିଲେ । ଏହି ମୁକୁଟଟି ରୂପାରେ ତିଆରି ହୋଇଥିଲା । ଏହାର ଉପରି ଭାଗ ସୁନାରେ ଛାଉଣୀ କରାଯାଇଥିଲା । ମୁକୁଟଟି ତିଆରି କରିବା ପାଇଁ ପ୍ରାୟତଃ ୩ ସପ୍ତାହ ସମୟ ଲାଗିଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ ମା କାଳୀଙ୍କ ପୂଜାର୍ଚ୍ଚନା ପାଇଁ ଆଜି ଏହି ଶକ୍ତିଶାଳୀପୀଠକୁ ଯିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ଭାଗ୍ୟବାନ ମନେକରୁଛି । ଏବଂ ମାଙ୍କ ପୂଜା କରି ସାରା ବିଶ୍ୱ ପାଇଁ ପ୍ରାର୍ଥନା କରିଛି । ଏବଂ ଏହା ସହ ସାରା ବିଶ୍ୱକୁ କରୋନା ମହାମାରୀ କବଳରୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ପ୍ରାର୍ଥନା କରିଛି । ”
ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।