ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବଡ଼ବଡ଼ ମିଟିଂ କରୁଛନ୍ତି । ଏସା କରୁଛୁ ତେଶା କରୁଛୁ କହି କାଢ଼ୁଆ ଦେଖାଉଛନ୍ତି । ହେଲେ ଦରମା ଦେବା ବେଳକୁ ହାତ କେମ୍ପା ମାରିଯାଉଛି । ଯାହାକୁ ନେଇ ଏବେ କର୍ମଚାରୀଙ୍କ ମହଲରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି । ଚର୍ଚ୍ଚା ହେଉଛି ବିଜେପୁର ଇଲେକ୍ସନ ଲାଗି ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଛି । ତେଣୁ ଦରମା ଦେବା ସମ୍ଭବ ହେଉନାହିଁ । ଆମେ କହୁଛୁ ପୁଲିସ ବିଭାଗର ଭିତିରି କଥା ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ରିର୍ଜଭ ପୁଲିସର ୬ଟି ବ୍ୟାଚର କର୍ମଚାରୀ ଏଯାବତ ଦରମା ପାଇନାହାନ୍ତି । ୨୦୦୫, ୨୦୦୬, ୨୦୦୯, ୨୦୧୧, ୨୦୧୩ ଓ ୨୦୧୫ ବ୍ୟାଚର କର୍ମଚାରୀ ଦରମା ପାଇନଥିବା ସୂଚନା ମିଳିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବଡ଼ବଡ଼ିଆ ବାବୁମାନେ ଦରମା ପାଇ ସାରିଥିବା ବେଳେ ତଳିଆ କର୍ମଚାରୀଙ୍କୁ ଦରମା ଏଯାବତ ନମିଳିବା ନେଇ ଅନେକ କଥା ଶୁଣିବାକୁ ମିଳୁଛି । ସେପଟେ ଯେଉଁ ସଂଘ ଟିକେ ଟିକେ କଥାରେ ସାମ୍ନାକୁ ଆସେ ଏପରି ସମୟରେ ଚୁପ ରହିବାକୁ ନେଇ ମଧ୍ୟ କିଛି କମ ଚର୍ଚ୍ଚା ନାହିଁ । ନିକଟରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ହୋଇଥିଲା । ପୁଲିସ ମୁଖ୍ୟଙ୍କଠୁ ନେଇ ଅନେକ ଅଫିସର ନାନା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିପାଇଁ ବି ଖର୍ଚ୍ଚ ହୋଇଥିଲା ମୋଟା ଅଙ୍କର ଟଙ୍କା ।
କିନ୍ତୁ ଥରୁଟେ ବି ଏହି ଘଟଣା ଉପରେ ଗୁରୁତ୍ୱ ଦିଆଯାଇନଥିବା ଜଣାପଡିଛି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖାଦେଇଛି । ଦୁଃଖର କଥା ହେଉଛି ଏହି ତଳିଆ କର୍ମଚାରୀମାନେ ଆଇନଶୃଙ୍ଖଳା ପରିସ୍ଥିତିଠୁ ନେଇ କାହିଁ କେତେ କାର୍ଯ୍ୟ କରୁଛନ୍ତି । କିନ୍ତୁ ର୍ଦୁଭାଗ୍ୟ ସେମାନଙ୍କ ଦରମା ଏଯାବତ ମିଳିଲାନାହିଁ । ମାସର ଶେଷ ଦିନ ନଚେତ ୧ତାରିଖ ସୁଦ୍ଧା ଦରମା ମିଳିବା କଥା । କିନ୍ତୁ ୧୬ ଦିନ ହେଲା କେଉଁ ପରିସ୍ଥିତିରେ ଦରମା ଅଟକିଛି ତାକୁ ନେଇ ଉଠିଛି ପ୍ରଶ୍ନ? କେବଳ ଏତିକି ନୁହେଁ କେତେକ ବଡ଼ବଡ଼ିଆ ନିଜ ସ୍ୱଚ୍ଛ ଚେହେରା ବଜାଇ ରଖିବା ଲାଗି ବାବୁମାନଙ୍କ ପାଖରେ ଚୁପ ରହିବା କାରଣରୁ ହିଁ ଦରମା ମିଳିପାରିନଥିବା ଶୁଣିବାକୁ ମିଳୁଛି । ତୁରନ୍ତ ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।