ପୁରୀ,(ଏଟିଆର ବ୍ୟୁରୋ): ପୁରୀରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଟ୍ରେନ ଭିତରୁ ମିଳିଛି ମହିଳାଙ୍କ ମୁଣ୍ଡବିହିନ ମୃତଦେହ । ଅତି ନୃଶଂସ ଭାବେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ସେପଟେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ସେନେଇ ଖୋଳତାଡ ଆରମ୍ଭ କରିଛି ଜିଆରପି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।
ସବୁଠୁ ବଡ଼ କଥା ହେଉଛି ଟ୍ରେନ ଭିତରକୁ ମୃତଦେହ ଆସିଲା କିପରି? ଯଦିବା ଟ୍ରେନ ଭିତରେ ମହିଳାଙ୍କୁ ହତ୍ୟା କରାଗଲା ତେବେ କେହି ଜାଣି ପାରିଲେନି କେମିତି? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରେଳ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଟ୍ରେନଟି ଗତକାଲି ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲା । ସକାଳ ୭ଟାରେ ଟ୍ରେନ ଷ୍ଟେସନ ଛାଡିବାର ଥିବା ବେଳେ ହଠାତ ଲାର୍ଟିନ ଭିତରୁ ମିଳିଥିଲା ମୁଣ୍ଡବହିନି ମୃତଦେହ । ଅନୁମାନ କରାଯାଉଛି ମହିଳାଙ୍କୁ ଗତକାଲି ସନ୍ଧ୍ୟାରେ ହିଁ ହତ୍ୟା କରାଯାଇଛି । ସେପଟେ ଡେଲାଙ୍ଗ ପାଖରୁ ମହିଳାଙ୍କ ମୁଣ୍ଡ ଜବତ ହୋଇଥିବା ଖବର ମିଳିଛି । ଏହି ଘଟଣାଟି ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।