ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ପାଇଁ ବରଦାନ ହଳଦୀ ପାଣି । ସେଥିପାଇଁ ନିୟମିତ ଖାଲି ପେଟରେ ହଳଦୀ ପାଣି ପିଇବା ଉଚିତ୍ । ଏହାଦ୍ୱାରା ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ । କିଛି ଲୋକ ଖାଲି ପେଟରେ ଲେମ୍ବୁପାଣିରେ ମହୁ ମିଶାଇ ପିଇଥାନ୍ତି ଏହାଦ୍ୱାରା ମୋଟାପଣ ଦୂର ହୋଇଥାଏ ଏବଂ ଶରୀରରୁ ବିଶାକ୍ତ ପଦାର୍ଥ ବାହାରି ଯାଇଥାଏ । କିନ୍ତୁ ଯଦି ଆପଣ ସେହି ପାଣିରେ ସାମାନ୍ୟ ହଳଦୀ ମିଶାଇ ପିଇବେ ତେବେ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଛୁଟକାରା ପାଇବେ ।
ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ, ମହୁ ଏବଂ ହଳଦି ମିଶାଇ ପିଇବା ଉଚିତ୍ । ଏହାଦ୍ୱାରା ଯେକୌଣସି ଆଲର୍ଜି ତଥା ରୋଗ ସହ ଲଢିବାର ଶକ୍ତି ମିଳିଥାଏ । ଏହାସହିତ ହଳଦି ପାଣି କର୍କଟ ସୃଷ୍ଟି କରୁଥିବା କଣିକା ସହ ଲଢିବାରେ ସହାୟକ ହୋଇଥାଏ ।
ହଳଦି ପାଣି ସେବନ ଦ୍ୱାରା ପାଚନ ପ୍ରକିୟା ସଠିକ ହୋଇଥାଏ । ଯଦି ଫୁଲା ସମସ୍ୟା ଥାଏ, ତେବେ ହଳଦୀ ସେବନ ଦ୍ୱାରା ଫୁଲା କମିଥାଏ । ଏଥିରୁ ମିଳୁଥିବା କର୍କୁମିନ୍ ରାସାୟନିକ ଔଷଧ ଭଳି କାର୍ଯ୍ୟ କରିଥାଏ ।
ଶରୀରର ଯେକୌଣସି ଅଙ୍ଗରେ ରକ୍ତ ଜମାଟକୁ ଦୂର କରିବାରେ ସହାୟକ ହୋଇଥାଏ ହଳଦି ପାଣି । ଏଥିରେ ଗ୍ଲୁକୋଜ ମାତ୍ର ବହୁତ କମ ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ।
ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିଥିଲେ ଖୀରରେ ହଳଦି ପକେଇ ପିଇବା ଉଚିତ୍ । ଏହାଦ୍ୱାରା ବହୁତ ଶୀଘ୍ର ଘା’ ଶୁଖିଥାଏ । କାରଣ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ସେପ୍ଟିକ ଗୁଣ ରହିଛି ।
ଯେତିକି ଜରୁରୀ ଆପଣ ସେତିକି ସେବନ କରିବେ ନଚେତ୍ ଅଧିକ ସେବନ କରିବା ଦ୍ୱାରା ଫାଇଦା ବଦଳରେ କ୍ଷତି ହୋଇପାରେ ।