ଅନୁଗୋଳ,(ଏଟିଆର ବ୍ୟୁରୋ): ପୋଲିସ ଟ୍ରେନିଂ କଲେଜରେ ଆଜି ଏକ ଅଘଟଣ ଘଟିଛି । ଗୁଳି ମାଡ଼ରେ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ଶରଧାପୁରରେ ଥିବା ପ୍ରାକ୍ଟିସ ଗ୍ରାଉଣ୍ଡରେ ସିଆଇଏସଏଫ ପକ୍ଷରୁ ଫାୟାରିଂ ଅଭ୍ୟାସ ଚାଲୁଥିଲା । ଅଚାନକ ଏତିକି ବେଳେ ଏକ ଗୁଳି ପଡିଆରୁ ବାହାରି ନିକଟରେ ଥିବା ଏକ ଗାଁରେ ରହୁଥିବା ଜଣେ ବୃଦ୍ଧାଙ୍କ ଛାତିରେ ବାଜିଥିଲା ।
ଏନେଇ ଏସଡିପିଓଙ୍କୁ ପଚାରିବାରେ ସେ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି । ସେପଟେ ଗାଁ ଲୋକଙ୍କ ମଧ୍ୟରେ ଘଟଣାକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଅଭିଯୋଗ କରିଛନ୍ତି ଏହି ଗୁଳି ଚାଳନା ଟ୍ରେନିଂ ସମୟରେ ପୂର୍ବରୁ କୌଣସି ସୂଚନା ଦିଆଯାଉନାହିଁ । ପୂର୍ବରୁ ମଧ୍ୟ ଏମିତି ଅଘଟଣ ଘଟିଛି । ତୁରନ୍ତ ଏହି ଟ୍ରେନିଂକୁ ଦୂରକୁ ସ୍ଥାନାନ୍ତରିତ କରାଗଲେ ଭଲ ବୋଲି ମତ ପ୍ରକାଶ ପାଇଛି ।