ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ତାର ମୌଦ୍ରିକ ନୀତି ସମୀକ୍ଷାର ଫଳାଫଳ ଜାରି କରିଛି । ଏଥିରେ ନୀତିଗତ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସେହିଅନୁଯାୟୀ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ବଳବତ୍ତର ରଖାଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।
ଏନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, କୋଭିଡ୧୯ ଯୋଗୁଁ ବିଶ୍ୱ ବଜାରରେ ଅନେକ ଚ୍ୟାଲେଞ୍ଜ ରହିଛି ଏବଂ ଭାରତ ମଧ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଯେଉଁଥିରେ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ଆମେ କରୋନା ସହିତ ମୁକାବିଲା କରିବା ପାଇଁ ଏକ ଭଲ ସ୍ଥିତିରେ ଅଛୁ ।
ଜାଣନ୍ତୁ ରେପୋ ଏବଂ ରିଭର୍ସ ରେପୋ ରେଟ୍ କଣ?
ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କକୁ ଋଣ ଦେଇଥାଏ ତାକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ କମ ହେବାର ଅର୍ଥ ହେଉଛି ବ୍ୟାଙ୍କରୁ ସମସ୍ତ ପ୍ରକାରର ଋଣ ଶସ୍ତା ହେବ । ଏହାଦ୍ୱାରା ମଧ୍ୟ ଆପଣଙ୍କ ଜମା ଉପରେ ସୁଧ ହାର ବୃଦ୍ଧି ହୋଇଥାଏ ।
ଯେଉଁ ହାରରେ ବ୍ୟାଙ୍କଗୁଡିକ ସେମାନଙ୍କ ନାମରେ ଆରବିଆଇରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ପାଆନ୍ତି ତାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ବ୍ୟାଙ୍କଗୁଡିକରେ ଥିବା ଅତିରିକ୍ତ ନଗଦ ରିଜର୍ଭ ବ୍ୟାଙ୍କରେ ଜମା କରାଯାଏ । ଏହା ଉପରୁ ବ୍ୟାଙ୍କଗୁଡ଼ିକୁ ସୁଧ ମିଳେ ।