ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବନସ୍ତେ ଡାକିିଲା ଗଜ..ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ । ‘ରଜ’ । ଏହା ଓଡିଶାର ସାଂସ୍କୃତିକ ଗଣପର୍ବ । ଏହି ପର୍ବ ପାଳନ କରିବା ନିମନ୍ତେ ବରଷକେ ଥରେ ସମସ୍ତେ ଚାହିଁ ବସିଥାନ୍ତି । ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ରଜ ମଉଜ । କରୋନା ପାଇଁ ଗତ ଦୁଇ ବର୍ଷ ହେବ ରଜ ଫିକା ପଡିଥିବା ବେଳେ କିନ୍ତୁ ଚଳିତଥର ସବୁଠି ଧୁମ୍ ଧାମରେ ପାଳିତ ହେଉଛି ରଜ । ଘରେ ଘରେ ଜମିଛି ଦୋଲି ସାଙ୍ଗକୁ ପିଠା ପଣାର ଆସର । ତେବେ ଏହି ଅବସରରେ କଣ ରହିଛି ରଜର ବିଶେଷତ୍ୱ ଆସନ୍ତୁ ଜାଣିବା ।
ଆଷାଢମାସରେ ବର୍ଷାର ପ୍ରଥମ ଆଗମନରେ ମେଘ ଓ ମାଟି ମା’ର ମିଳନ ହୋଇଥାଏ । ରଜସ୍ୱଳା ହୁଏ ମାଟି ମା’ । ଆମ ଦେଶ କୃଷିପ୍ରଧାନ ଦେଶ ହୋଇଥିବାରୁ ମାଟି ମା’ ବିଭିନ୍ନ ପ୍ରକାରର ଫସଲ ଆମ ହାତରେ ଅଜାଡି ଦେଇଥାଏ । ମା’ଟି ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ନେଇଥାଏ । ଠିକ୍ ସେହିପରି ମାଟି ମା’ ମଧ୍ୟ ପ୍ରଜନନକ୍ଷମ ହେବା ପୂର୍ବରୁ ତିନି ଦିନ ବିଶ୍ରାମ ନେଇଥାଏ ବୋଲି ବିଶ୍ୱାସ ରହିଛି ।
ପହିଲି ରଜରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ । ଭୂଖନନ ମଧ୍ୟ କରାଯାଏ ନାହିଁ । ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ରଜ ସଂକ୍ରନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ଦିନକୁ ବସୁମାତା ସ୍ନାନ ବୋଲି କୁହାଯାଇଥାଏ ।
ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।