ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ ଦାଣ୍ଡରେ ତିନି ରଥରେ ବିଜେ କରିବେ ଶ୍ରୀଜିଉ । ଏନେଇ ଚଳଚଞ୍ଚଳ ରଥଖଳା । କାରିଗରକୁ ହାତକୁ ନାହିଁ ଫୁରସତ । ଜୋରସୋରରେ ଆଗେଇ ନେଇ ଚାଲିଛନ୍ତି ରଥ ନିର୍ମାଣ କାର୍ଯ୍ୟ । ରବିବାର ଦିନ ରଥରେ ଗୟଳ ମୋଡା କାର୍ଯ୍ୟ ଶେଷ ହୋଇଥିବା ବେଳେ ଆରମ୍ଭ ହୋଇଛି ଦୁଆରଘଡା କାର୍ଯ୍ୟ ।
ସେହିପରି ଦୁଆରଘଡାର ଉପରଅଂଶ ଚନ୍ଦ୍ରଶାଳିରେ ଅଂଳା ଲାଗି ହୋଇଥାଏ । ସେଥିପାଇଁ ବିଶ୍ୱକର୍ମ ସେବକମାନେ ଅଂଳା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ତୀଖଗୁଜ ଓ ଦଣ୍ଡାରେ ପିଟା ହେବା ଲାଗି ୩ ରଥର ୪ଟି ଲେଖାଏଁ କତରା କାମ ସରିଛି । ରଥ ଚାରିପଟେ ପ୍ରସ୍ତୁତି ହୋଇ ରହିଛି ଯୋକା ।
ଅନ୍ୟପଟେ ଗୟଳରେ ବିନ୍ଧ କରି ଟାଣ ଆଣ୍ଟିଛନ୍ତି ବିଶ୍ୱକର୍ମା । ଦଣ୍ଡା ଉପରେ ଅଂଶୁଆରୀ ଓ ଟାଣ ଲଗାଯାଇ ଗୟଳ ରହିଛି । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ପୋଲ ଓ ଛନ୍ଦା ଗୟଳ ମିଶି ୧୨ ଟି ଲେଖାଁଏ ଓ ଦେବଦଳନ ରଥରେ ୮ ଟି ଗୟଳ ପଡିଛି । ଏହାଉପରେ ପଟା ପଡିବା ପରେ ରଥରେ ଯୋକା ପକାଯିବ ।