ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ମାଛ ବିଷ ନୁହେଁ । କିଛିଦିନ ତଳେ ମାଛରେ ଫର୍ମାଲିନ ମିଶୁଥିବା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକେ ଆତଙ୍କିତ ହୋଇପଡିଥିଲେ । କେହି କେହି ତ’ମାଛ ଖିଆ ଏକ ପ୍ରକାର ଛାଡି ଦେଇଥିଲେ । ଏବେ ଭୟଭିତ ହେବାର ନାହିଁ । ମାଛରେ ଫର୍ମାଲିନ ମିଶିବା ନେଇ ନେଗେଟିଭ ରିପୋର୍ଟ ଆସିଛି ।
ପୂର୍ବରୁ ରାଜଧାନୀର ୟୁନିଟ-୪ସ୍ଥିତ ମାର୍କେଟରୁ ୧୨ଟି ଓ କଟକରୁ ୯ଟି ନମୁନା ସଂଗ୍ରହ କରାଯାଇଥିଲା । ଏଥିରେ ପାମ୍ପଲେଟ, ଚିଙ୍ଗୁଡି, ରୋହି, ଭାକୁର, ଇଲିଶି, ଭେକଟି ଓ ଖଇଙ୍ଗା ଭଳି ମାଛରେ ନମୁନା ସଂଗ୍ରହ କରାଯାଇଥିଲା । ସଂଗୃହୀତ ଏହି ନମୁନାକୁ ଜନସ୍ୱାସ୍ଥ୍ୟ ଲାବ୍ରେଟାରି ଓ ପଶୁସମ୍ପଦ ବିଭାଗର ଲାବ୍ରେଟାରିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଆଜି ଆସିଥିବା ରିପୋର୍ଟରେ ଫର୍ମାଲିନ ନ ଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ ପରିସ୍ଥିତିରେ ପାମ୍ପଲେଟ ମାଛରେ ଫର୍ମାଲିନ ଉପସ୍ଥିତି ଥିବା ଜଣାପଡିଲା ତାହାକୁ ନେଇ ତର୍ଜମା ଜାରି ରହିଛି ବୋଲି ସୂଚନା ଦେଇଛି ବିଭାଗୀୟ ଅଧିକାରୀ । ଆଗାମୀ କିଛିଦିନ ପରେ ଫର୍ମାଲିନ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ବୀଭାଗୀୟ ପକ୍ଷରୁ କୁହାଯାଇଛି ।
ମାଛରେ ଫର୍ମାଲିନ ମିଶିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆନ୍ଧ୍ର ମାଛ ଉପରେ କଟକଣା ଜାରି କରିଥିଲେ । ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ତତ୍ପର ହୋଇ ଉଠିଥିଲେ । ତେଣୁ ଖାଦ୍ୟ ସୁରକ୍ଷା ବିଭାଗ ସତ୍ୟତା ଜାଣିବା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରାଜଧାନୀର ପ୍ରମୁଖ ମାଛ ବିକ୍ରି କେନ୍ଦ୍ରରୁ କେତେକ ମାଛର ନମୁନା ସଂଗ୍ରହ କରାଯାଇଥିଲା । ଆଉ ଏହି ମାଛ ମାନଙ୍କ ମଧ୍ୟରେ ପାମ୍ପଲେଟ ମାଛରେ ଫର୍ମାଲିନ ମିଶିବା ନେଇ ପଡିଥିଲା । ଏହାପରେ ରାଜ୍ୟରେ ଚହଳ ପଡିଯାଇଥିଲା । ଅନେକ ଲୋକ ମାଛ ଖାଇବା ବନ୍ଦ ମଧ୍ୟ କରିଦେଇଥିଲେ । ହେଲେ ଗତକାଲି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରୁ ଆସିଥିବା ରିପୋର୍ଟରେ କୌଣସି ମାଛରେ ଫର୍ମାଲିନ ଥିବା ନେଇ ସୂଚନା ନାହିଁ । ତା’ମାନେ ଆମ ରାଜ୍ୟକୁ ଆସୁଥିବା ମାଛରେ ଫର୍ମାଲିନ ମିଶାଯାଉନି । ଲୋକମାନେ ନିର୍ଭୟରେ ମାଛ ଖାଇପାରିବେ ।