ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଖାତା ଖତିୟାନରେ ନାଁ ନାହିଁ । କିନ୍ତୁ ଥାନା ଭିତରେ ରୋବାବ କହିଲେ ନସରେ । ନିଜକୁ ଥାନା ଅଧିକାରୀଙ୍କ ମାଉସୀ ପୁଅ ଭାଇ ପରିଚୟ ଦେଇ ଏବେ ଜଣେ ବ୍ୟକ୍ତି ସବୁ କେସରେ ମୁଣ୍ଡ ପୂରାଉଛନ୍ତି, ବେଳେ ବେଳେ ତ’ ବହୁ ମାମଲାର ରଫାଦଫା ମଧ୍ୟ ନିଜେ କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଥାନାର ତଳିଆ କର୍ମଚାରୀ ବି ଏସବୁ ଜାଣୁଥିଲେ ମଧ୍ୟ ଚୁପ ରହୁଛନ୍ତି ।
କମିଶନରେଟ ପୁଲିସର ଏକ ଥାନାରେ ଏଭଳି ଦୋଗଲାମି କାରବାର ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀ ଧ୍ୟାନ ଦେବା ଲାଗି ଲୋକେ ଦାବି କରିଛନ୍ତି । ରିପୋର୍ଟ ଅନୁସାରେ, ଥାନା ଅଧିକାରୀଙ୍କ ମାଉସୀ ପୁଅ ଭାଇ ପରିଚୟ ଦେଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୟୁନିଟ-୯ ଅଞ୍ଚଳର । କିଏ ଥାଉ ବା’ ନଥାଉ । ସନ୍ଧ୍ୟା ହେଲେ ବାବୁ କିନ୍ତୁ ପହଞ୍ଚି ଯାଆନ୍ତି ଥାନାରେ । ବାସ ଏହାପରେ ଦେଖାନ୍ତି ରୋବାବ । ମନେ ମନେ ନିଜକୁ ପୁଲିସ ଭାବିବା ସହ ଡିସିଓକୁ ବାଦ ଦେଇ ଥାନାକୁୁ ଆସୁଥିବା ପ୍ରତିଟି ଅଭିଯୋଗକାରୀଙ୍କ କଥାରେ ସେ ମୁଣ୍ଡ ପୂରାନ୍ତି ।
କେବଳ ଏତିକି ନୁହେଁ ଅଭିଯୋଗ ହୋଇଛି ଅଧିକାଂଶ ଘଟଣାରେ ମାଲ ପକାଇ ମାମଲାର ଆପୋଷ ସମାଧାନ ମଧ୍ୟ ସେ କରୁଛନ୍ତି । ଯାହାକୁ ନେଇ ଏବେ ଥାନାର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଏ ବ୍ୟକ୍ତି ଜଣଙ୍କ ବାସ୍ତବରେ ଥାନା ଅଧିକାରୀଙ୍କ ସମ୍ପର୍କୀୟ କି’ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ?
ଏହାବାଦ ଯଦିବା ସେ ମାଉସୀ ପୁଅ ଭାଇ ତାଙ୍କର ଥାନାରେ ମାମଲତିକାର ଦେଖାଇବା କଣ ଦରକାର? ଏଥିପାଇଁ ତାଙ୍କୁ ଏତେ ସାହସ ଦେଲା କିଏ? କାହିଁ ଏମିତି ନୁହେଁ ତ’ ଥାନା ଅଧିକାରୀଙ୍କ ଇଙ୍ଗିତରେ ଏସବୁ କାରବାର ହେଉଛି? ଏଭଳି ତମାମ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତୁରନ୍ତ ଘଟଣା ଉପରେ ନଜର ଦେଇ ବରିଷ୍ଠ ଅଧିକାରୀ ପଦକ୍ଷେପ ନେବାକୁ ସବୁ ସ୍ତରରେ ଦାବି ହୋଇଛି । ନଚେତ ଦିନ ଆସିବ ମାଉସୀ ପୁଅ ଭାଇଙ୍କ ଭଳି ଦାଦା ପୁଅ ଭାଇ ବି ଥାନା ଚଳାଇବାକୁ ପଛାଇବେ ନାହିଁ ।