ଭୁବନେଶ୍ୱର,(ଏଟିଆର ବ୍ୟୁରୋ):ପିସିଆର କର୍ମଚାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ଖାଇଗଲେ ୩୦ ହଜାର ଟଙ୍କା । ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ହସପିଟାଲ ନେବା ବାଟରେ ହରିଲୁଟ ହୋଇଛି ଟଙ୍କା । କଥାଟା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ଖଣ୍ଡୁଆଳସାହିରେ ରହୁଥିବା ବବି ବେହେରା ନାମ୍ନୀ ମହିଳା । ତାଙ୍କ କହିବା ଅନୁସାରେ, ଶାଶୂ କୁମାରୀ ବେହେରା ଗତ ରବିବାର ହାଟକୁ ଆସିଥିଲେ ।
ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଚେତା ପଳାଇଥିବା ବେଳେ ଗୁରୁତର ଅବସ୍ଥାରେ କୁମାରୀଙ୍କୁ ଏୟାରଫିଲ୍ଡ ଥାନା ପିସିଆର ଭ୍ୟାନ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ତେବେ ହୋସ ଆସିବା ପରେ ତାଙ୍କ ପାଖରେ ୩୦ ହଜାର ଟଙ୍କା ନଥିବା କୁମାରୀ ପରିବାର ଲୋକଙ୍କୁ କହିଥିଲେ । ତେବେ ଏହାପରେ ପରିବାର ଲୋକେ ପିସିଆର ଭ୍ୟାନ କର୍ମଚାରୀ ଓ ଥାନାରେ ଜଣାଇବା ପରେ ଟଙ୍କା ଫଙ୍କା କିଛି ନଥିବା କହି ପୁଲିସ ଦୂରଦୂର ମାରମାର କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଯେତେବେଳେ ପ୍ରଥମେ ପଚରାଯାଇଥିଲା ସେତେବେଳେ ଗାଡି ଧରାପଡିଥିବା କଥା ପୁଲିସ କହିଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଗାଡି ଧରା ହୋଇନଥିବା ଜାଣିବା ପରେ ଏନେଇ ପରିବାର ଲୋକ ପଚାରିବାରୁ ପୁଲିସ ତ’ ଆହୁରି କଦର୍ଯ୍ୟ ବ୍ୟବହାର ଦେଖାଇଥିବା ଆହତ କୁମାରୀଙ୍କ ପୁଅ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ କାହିଁକି ବାରମ୍ବାର ମିଛ କହୁଥିଲା ପୁଲିସ? ଗାଡି ଧରାପଡିନଥିବା ବେଳେ କାହିଁକି ପୁଲିସ ଗାଡି ଥାନାରେ ରହିଛି ବୋଲି କହୁଥିଲେ । ସବୁଠୁ ବଡ଼ କଥା ହେଉଛି ଦୁର୍ଘଟଣା ଘଟିବା ପୂର୍ବରୁ କୁମାରୀ ଏକ ଗ୍ରାଇଣ୍ଡର ସମେତ ନଗଦ ୩୦ହଜାର ଟଙ୍କା ବ୍ଲାଉଜ ଭିତରେ ରଖିଥିଲେ । ତେବେ ଦୁର୍ଘଟଣା ପରେ ଖାଲି ଭଙ୍ଗା ଗ୍ରାଇଣ୍ଡରକୁ ଛାଡିଦେଲେ ଆଉ କିଛି ପୁଲିସ ଫେରାଇନଥିଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ବାକି ୩୦ ହଜାର ଟଙ୍କା ଗଲା କୁଆଡେ? ସେପଟେ କୁମାରୀଙ୍କୁ ସେହି ସମୟରେ ୩୦ ହଜାର ଟଙ୍କା ଦେଇଥିବା ଯୁବକ ମଧ୍ୟ ଏ କଥାକୁ ସ୍ୱୀକାର କରିଛନ୍ତି । ହେଲେ ଟଙ୍କା କୁଆଡେ ଗଲା ସେନେଇ ସନ୍ଦେହ ଉପୁଜିଛି । ଗୋଟିଏ ପଟେ ପିସିଆର କର୍ମଚାରୀ କିଛି ଟଙ୍କା କଥା ଜାଣିନଥିବା କହୁଥିବା ବେଳେ ଦୁର୍ଘଟଣା ପରେ କୁମାରୀଙ୍କ ପାଖରୁ ମନକୁ ମନ କଣ ଟଙ୍କା ଉଭାନ ହୋଇଗଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
ସେପଟେ କେତେବେଳେ ପିସିଆର ଦୁର୍ଘଟଣାଗ୍ରସ୍ତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନେଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତୀ କଲାଣି ତ କେତେବେଳେ କାହା ପକେଟରୁ ମୋବାଇଲ ନେଇ ଯାଉଥିବା ଅଭିଯୋଗ ଉଠିଛି ବିଗତ ଦିନରେ । ଯାହାକୁ ନେଇ ପୂର୍ବତନ ପୁଲିସ କମିଶନର ବି ଆପତ୍ତି ଉଠାଇବା ସହ ପିସିଆର କର୍ମଚାରୀଙ୍କୁ ତାଗିଦ କରିଥିଲେ । ଏବେ ପୁଣି ଏହି ଘଟଣାର ପୁନଃରାବୃତ୍ତି ହେବାକୁ ଯାଉଥିବା ବେଳେ ନୂଆ ସିପି ଏ ଦିଗରେ ଧ୍ୟାନ ଦେବେ ବୋଲି ଆଶା ରଖିଛନ୍ତି ରାଜଧାନୀବାସୀ ।