ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ନିଆଁର ତାଣ୍ଡବ । ନିକଟରେ ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ନୂଆଦିଲ୍ଲୀ ସ୍ଥିତ ନାରାୟଣ ଅଞ୍ଚଳର ଫେଜ-୧ ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ହୁ ହୁ ହୋଇ ଜଳୁଛି ପେପର ଫ୍ୟାକ୍ଟ୍ରି । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ୨୯ଟି ଦମକଳ ଗାଡି ପହଁଚିଛନ୍ତି । ଅଚାନକ୍ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।
ଏହି ଫ୍ୟାକ୍ଟ୍ରିରେ ଗ୍ରିଟିଙ୍ଗ କାର୍ଡ ଏବଂ ଫରଫ୍ୟୁମ୍ ଆଦି ତିଆରି କରାଯାଇଥାଏ । ସବୁଠୁ ବଡ କଥା ହେଉଛି ଏହି ବିଲ୍ଡଙ୍ଗରେ କରପୋରେଟ୍ ଅଫିସ୍ ବି ଅଛି । ପରଫ୍ୟୁମ୍ ଏବଂ କାର୍ଡ ଯୋଗୁଁ ନିଆଁ ବଢିବାରେ ଲାଗିଛି । ନିଆଁ ଲିଭିବାର ନାଁ ଧରୁନି । ଯାହାଫଳରେ ଦମକଳ ବାହିନୀ ନିଆଁକୁ କାବୁ କରିବା ପାଇଁ କାଠିକର ପାଠ ହୋଇଯାଇଛି ।
ଖବରମୁତାବକ, ଗତ ତିନି ଦିନ ହେବ ଦିଲ୍ଲୀରେ ଲଗାତର ଭାବେ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ନିଆଁ ଲାଗିଯାଇ ସବୁଠୁ ବଡ ଦୁର୍ଘଟଣା କରୋଲବାଗ ସ୍ଥିତ ଅର୍ପିତ ପ୍ୟାଲେସରେ ଘଟିଥିଲା । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପଶ୍ଚିମପୁରୀ ଅଞ୍ଚଳରେ ୨୦୦ ରୁ ଅଧିକ ଝୁମ୍ପୁଡି ଜଳି ପୋଡି ଯାଇଥିଲା ।