ଚାନ୍ଦବାଲି(ଏଟିଆର ବ୍ୟୁରୋ): ବାତ୍ୟା ବୁଲୁବୁଲ ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । କେଉଁଠି ମେଘୁଆ ପାଗ ରହିଛି ତ ଆଉ କେଉଁଠି ପ୍ରବଳ ବର୍ଷା ହେଉଛି । ଏହାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ମଧ୍ୟ ଭଦ୍ରକ ଧାମରା ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଧାମରାରେ ୧୧୦ କି.ମି ବେଗରେ ପବନ ବୋହୁଛି । ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ଓ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ମଧ୍ୟ ଗଛ ପଡିବାରୁ ଯାତାୟତ ଅସମ୍ଭବ ହୋଇ ପଡ଼ିଛି।
ତେବେ ଏହା ମଧ୍ୟରେ ଗତ କାଲି ବିଳମ୍ବିତ ରାତିରେ ଧାମରା କାଳିନାଳୀରେ ଏକ ମାଛଧରା ବୋଟ ବୁଡିଯାଇଛି । ତେବେ ବୋଟରେ ଥିବା ସମସ୍ତ ମତ୍ସ୍ୟଜୀବି ସୁରକ୍ଷିତ ଥିବାର ଜଣାପଡିଛି । ଗତକାଲି ରାତିରେ ବୋଟଟି ବୁଡି ଗଲା ପରେ ବୋଟରେ ଥିବା ୮ଜଣ ମତ୍ସ୍ୟଜୀବି ନିକଟରେ ଥିବା ଏକ ଜଙ୍ଗଲରେ ସୁରକ୍ଷିତରେ ଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି କରାଯାଇଛି । ଏନେଇ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସୂଚନା ଦେଇଛନ୍ତି ।