ମୁନିଗୁଡା (ଏଟିଆର ବ୍ୟୁରୋ); ଛୋଟ ଭୁଲ ପାଇଁ ଅକାଳରେ ଚାଲିଗଲ ଜଣେ ଛାତ୍ରୀଙ୍କ ଜୀବନ । ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୁନିଗୁଡା ବ୍ଳକ କୁମୁଡାବାଲି ସ୍ଥିତ ବାଳିକା ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ମୃତ ଛାତ୍ରୀ ହେଲେ ନନ୍ଦିନୀ କାଡ୍ରାକା । ରାୟଗଡା ଏସସି ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଏବେ ସ୍ଥାନୀୟ ଅଞ୍ଚଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, କସ୍ତୁରବା ହଷ୍ଟେଲରେ ୧୩୦ ଜଣ ଛାତ୍ରୀ ରୁହନ୍ତି । ସେମାନେ ପ୍ରତିଦିନ ଖାଇ ସାରିବା ପରେ ଥାଳି ଧୋଇ ଶୋଇବା ପାଇଁ ଯାଇଥାନ୍ତି । ତେବେ ଗତକାଲି ମଧ୍ୟ ସମସ୍ତେ ସେହିଭଳି ଯାଇଥିଲେ । ତେବେ କାନ୍ଥରେ ଏକ ତାର ଓହଳି ରହିଥିଲା । ଯାହାକି ବହୁ ଦିନ ହେଲା ଓହଳି ରହିଥିଲେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସୁବିଧା କରାଯାଇନଥିଲା । ତେବେ ଗତକାଲି ନନ୍ଦିନୀ ଥାଳି ଧୋଇ ଆସୁଥିବା ବେଳେ ତାର ସଂସ୍ପର୍ଶରେ ଆସିଥିଲେ ।
ସାଙ୍ଗମାନେ ଦେଖିବା ପରେ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଡାକିଥିଲେ । ସେମାନେ ତାଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେତେବେଳକୁ ସବୁକିଛି ସରିଯାଇଥିଲା । ଆଉ ନଥିଲେ ନନ୍ଦିନୀ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁନିଗୁଡା ଡାକ୍ତରଖାନାକୁ ଆସିବାପରେ ଝିଅର ମୃତ୍ୟୁ ହୋଇଥିବା ନେଇ ଜାଣିପାରିଥିବା ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।