ୟୁପି ( ଏଟିଆର ବ୍ୟୁରୋ): ରାସ୍ତା କଡ ଫୁଟଫାତରେ ଶୋଇଥିବା ବେଳେ ଅଚାନକ ମାଡିଗଲା ବସ । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୁଲନ୍ଦସର ନରୋରାର ଗାନ୍ଧୀ ଘାଟ ଶ୍ମସାନ ପାଖରେ । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା ବେଳେ ୩ ଜଣ ଛୁଆ ରହିଛନ୍ତି । ମୃତକ ମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସରାର ବାସିନ୍ଦା ବୋଲି ଜଣାପଡିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ ମୃତକମାନେ ମୃତ ଘଟିଥିବା ଲୋକମାନେ ଜମ୍ମୁ ଓ କଶ୍ମୀରସ୍ଥିତ ମାତା ବୈଷ୍ଣୋଦେବୀ ପୀଠରୁ ତୀର୍ଥଯାତ୍ରା ସାରି ହାଥ୍ରସ ଜନପଦକୁ ଫେରୁଥିଲେ। ଫେରିବା ବାଟରେ ରାତି ପ୍ରାୟ ୨: ୩୦ ମିନିଟ୍ରେ ବିଶ୍ରାମ ନେବା ପାଇଁ ବସ୍ରୁ ସାତ ଜଣ ଓହ୍ଲାଇ ପଡ଼ି ରାସ୍ତାକଡ଼ରେ ଶୋଇପଡ଼ିଥିଲେ । ଆଜି ସକାଳ ୪ଟା ବେଳେ ଗୋଟାଏ ଯାତ୍ରୀ ବାହି ବସ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣା ଘଟାଇ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହିତ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ମୃତକଙ୍କୁ ୨ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ।