ସମ୍ବଲପୁର (ଏଟିଆର ବ୍ୟୁରୋ): ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରାସ୍ତା ପାଶ୍ୱର୍ରେ ଖୋଲାଯାଇଥିବା କିଛି ଅସ୍ଥାୟୀ ଦୋକାନୀ ଉପରେ ମାଡି ଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୪ ଜଣ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୭ ଜଣ ବ୍ୟବସାୟୀ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଧନୁଯାତ୍ରା ମହୋତ୍ସବ ଲାଗି ପରମାଣପୁରରେ ରାସ୍ତା କଡରେ କିଛି ଅସ୍ଥାୟୀ ଦୋକାନୀ ସେମାନଙ୍କ ଦୋକାନ ଖୋଲିଥିଲେ । ଏହାସହିତ ବ୍ୟବସାୟ ମଧ୍ୟ କରୁଥିଲେ । ମାତ୍ର ସେମାନେ ଜାଣିନଥିଲେ ତାଙ୍କ ପାଇଁ ଅଚାନକ୍ ଏଭଳି କାଳ ମାଡି ଆସିବ । ଆଜି ସକାଳୁ ସମ୍ବଲପୁରରୁ ଛାରସୁଗୁଡା ଯାଉଥିବା ଏକ ଟ୍ରକ୍ ଟି ଭାରସାମ୍ୟ ହରାଇ ଅସ୍ଥାୟୀ ଦୋକାନ ଉପରକୁ ମାଡି ଯାଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକମାନେ ସମସ୍ତେ ଧନୁପଡା ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚିବା ସହ ତଦନ୍ତ ଆରମ୍ଭ କରିଛି । ଅପରପକ୍ଷେ ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।