ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ); ବାହାଘର ପ୍ରସେସନ ବେଳେ ଅଘଟଣ । ବର ଗାଡି ଆଗରେ ଫୁଟାଯାଉଥିବା ବାଣ ନିଆଁ ଚାଳଘର ଉପରେ ପଡିବାରୁ ୨ ବଖରା ଘର ସହିତ ଧାନ,ଚାଉଳ ଏବଂ ଟଙ୍କା ପୋଡିଯାଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାଜନପୁର ବ୍ଳକ ଅନ୍ତର୍ଗତ କେଞ୍ଜିରିଆପଲ୍ଲୀ ଗାଁରେ । ଏହି ଗାଁର ତପନ ପ୍ରଧାନଙ୍କ ଘରେ ବାଣ ନିଆଁ ପଡିଯାଇ ସବୁ ପୋଡି ପାଉଁଶ ହୋଇ ଯାଇଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଗାଁରେ ଜଣଙ୍କ ଝିଅ ବାହାଘର ଥିଲା । ବରଯାତ୍ରୀ ଶୋଭାଯାତ୍ରା ସମୟରେ ବାଣ ନିଆଁ ତପନଙ୍କ ଚାଳ ଉପରେ ପଡିଥିଲା । ନିଆଁ ଲାଗିବା ପରେ ଗାଁଲୋକ ନିଆଁକୁ ଆୟତ କରିବା ପାଇଁ ଲାଗିପଡିଥିଲେ । କିଛି ସମୟ ଲାଗିବା ପରେ ନିଆଁକୁ ଆୟତ କରିଥିଲେ ଗାଁଲୋକ । କିନ୍ତୁ ସେତିକି ବେଳକୁ ସବୁକିଛି ସରିଯାଇଥିଲା । ତପନଙ୍କ ଦୁଇ ବଖରା ଘର ସହିତ ୩୦ କ୍ୱିଣ୍ଟାଲ ଚାଉଳ,୭୦ କ୍ୱିଣ୍ଟାଲ ଧାନ,ଘର ଉପକରଣ ସହିତ ନଗଦ ୨୦ ହଜାର ଟଙ୍କା ମଧ୍ୟ ପୋଡିଯାଇଥିବା ପରିବାର ଲୋକ କହିଛନ୍ତି ।
ତେବେ ନିଆଁ ଲାଗିବା ପରେ ବରଯାତ୍ରୀ ଏବଂ ଗାଁ ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା । ମାଡ ଭୟରେ ବରଯାତ୍ରୀମାନେ ଛତ୍ରଭଙ୍ଗ ହୋଇ ପଳାଇଥିଲେ । ତେବେ ଘର ସହିତ ଆସବାବ ପତ୍ର ପୋଡି ଯାଇଥିବାରୁ ଏବେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ତପନ । ତାଙ୍କ କ୍ଷତି ପୂରଣ ପାଇଁ ସେ ବରଘରକୁ ଦାବି କରିଛନ୍ତି ।