ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ହେବା ପରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ନିୟମିତ କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଅନୁଯାୟୀ ଆଜିଠୁ ସମସ୍ତ କର୍ମଚାରୀ ଠିକ୍ ସମୟରେ କାର୍ଯ୍ୟାଳୟ ଆସି କାର୍ଯ୍ୟ କରିବେ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖିଛନ୍ତି ।
କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ରୁ ବିଶ୍ୱବିଦ୍ୟାଳ ଏବଂ ମହାବିଦ୍ୟାଳୟକୁ ୫୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଡ୍ୟୁଟି ହିସାବରେ ଆସୁଥିଲେ ।କିନ୍ତୁ ଏବେ ସଂକ୍ରମଣ ହ୍ରାସ ପାଇବା ପରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବ ବୋଲି କୁହାଯାଇଛି । କିନ୍ତୁ ଶନିବାର ଓ ରବିବାର କାର୍ଯ୍ୟାଳୟ ବନ୍ଦ ରହିବ । କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ କୋଭିଡ ନିୟମ ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।