ପୁରୀ (ଏଟିଆର ବ୍ୟୁରୋ): ସ୍ନାନପୂଣ୍ଣମୀରେ ମହାସ୍ନାନ ସାରି ଜ୍ୱରରେ ପୀଡିତ ଥିବା ଶ୍ରୀଜିଉ ଗୁପ୍ତ ସେବା ପରେ ଏବେ ସୁସ୍ଥ ହୋଇଛନ୍ତି । ଏକାଦଶୀ ତିଥିରେ ଶ୍ରୀଜିଉଙ୍କଠାରେ ଦଶମୂଳ ମୋଦକ ଲାଗି ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶଯ୍ୟା ଛାଡିଛନ୍ତି । ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ନେଇ ଆଜି ଦ୍ୱାଦଶୀ ତିଥିରେ ଶ୍ରୀନଅର ଯିବେ ସେବାୟତ । ଗଜପତି ମହାରାଜାଙ୍କୁ ଦେବେ ଶ୍ରୀଜିଉଙ୍କ ସୁସ୍ଥତା ଖବର । ଏହି ଅବସରରେ ଶ୍ରୀଜିଉଙ୍କ ପ୍ରସାଦ ରୁପେ ଚନ୍ଦନ, କରାଳ, ପାଟବସ୍ତ୍ର ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିବେ ଦଇତାପତି ଏବଂ ବିଦ୍ୟାପତି ସେବାୟତ ।
ଏକାଦଶୀ ତିଥିରେ ଶ୍ରୀଜିଉଙ୍କଠାରେ ଗତକାଲି ଦଶମୂଳ ମୋଦକ ଲାଗି ହୋଇଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି ହୋଇ ଖଣ୍ଡୁଆ ଲାଗି କରାଯାଇଥିଲା । ଏହାପରେ ଗତକାଲି ପ୍ରଥମ ଥର ପାଇଁ ତୁଳସୀ ଲାଗି ହୋଇଥିଲା କାରଣ ଅଣସର ସମୟରେ ଧଳାଫୁଲରେ ପୂଜା ପାଉଥିଲେ ଶ୍ରୀଜିଉ ।