ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଶିକ୍ଷା ନୀତି ଅନୁଯାୟୀ ୨୦୩୦ ପର୍ଯ୍ୟନ୍ତ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଶିକ୍ଷାରେ ନାମାଙ୍କନ କରିବାର ଲକ୍ଷ୍ୟ ରହିଛି । ଅର୍ଥାତ ପ୍ରତ୍ୟେକ ପିଲା ନିକଟରେ ଶିକ୍ଷା ପହଁଚାଇବା ବା ତାକୁ ଶିକ୍ଷା ସହ ଯୋଡିବା । ଏହାବ୍ୟତିତ ରାଜ୍ୟ ସ୍କୁଲ ମାନକ ପ୍ରାଧିକରଣରେ ଏବେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସାମିଲ ହେବ । ପ୍ରଥମ ଥର ପାଇଁ ସରକାରୀ ଏବଂ ଘରୋଇ ସ୍କୁଲ ଗୁଡିକରେ ସମାନ ନିୟମ ଲାଗୁ ହେବ । ଏହାଦ୍ୱାରା ଘରୋଇ ସ୍କୁଲ ଗୁଡିକର ମନମାନି ଏବଂ ଫି ଉପରେ ରୋକ ଲାଗିବ ।
ଗ୍ରାମୀଣ, ପଛୁଆ ଏବଂ ଆର୍ଥିକ ଭାବେ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଯୋଡି ରଖିବା ପାଇଁ ଏଣିକି ସ୍କୁଲମାନଙ୍କରେ ଜଳଖିଆ ବି ଦିଆଯିବ । ଏପର୍ଯ୍ୟନ୍ତ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । କିନ୍ତୁ ଚଳିତ ବର୍ଷରୁ ଜଳଖିଆ ଦିଆଯିବ । ଏହାବ୍ୟତିତ ଶାରିରୀକ ଯାଞ୍ଚ ଆଧାରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବି ଦିଆଯିବ ।
ସେହିପରି ଗୁଣବତ୍ତା ସୁଧାରିବା ପାଇଁ ପ୍ରତ୍ୟେକ ୫ ବର୍ଷରେ ସ୍କୁଲ ଶିକ୍ଷାର ସମୀକ୍ଷା କରାଯିବ । । ଏହାସହିତ ଅନଲାଇନ୍ ଶିକ୍ଷା ବା ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ । ଯେଉଁ ସ୍ଥାନରେ ପାରମ୍ପରିକ ଏବଂ ବ୍ୟକ୍ତିଗତ ଶିକ୍ଷାର ସାଧନ ହେବ ନାହିଁ ସେଠାରେ ସ୍କୁଲ ଏବଂ ଉଚ୍ଚ ଶିକ୍ଷା ଉଭୟକୁ ଇ-ମାଧ୍ୟମରେ ଆଗକୁ ବଢାଯିବ । ସେଥିପାଇଁ ନେସନାଲ ଏଜୁକେସନ ଟେକ୍ନଲୋଜି ଫୋରମ ପ୍ରସ୍ତୁତ କରାଯିବ । ଏହାର ଅର୍ଥ ପ୍ରାଇମେରୀରୁ ଉଚ୍ଚ ଏବଂ ଯାନ୍ତ୍ରିକ ଶିକ୍ଷା ପର୍ଯ୍ୟନ୍ତ ପ୍ରଦ୍ୟୋଗିକିର ସଠିକ୍ ବ୍ୟବହାର କରିବା ।