ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଜେଇଇ ର ମେନ୍ ଢଞ୍ଚା ଭଳି ଓଜେଇଇ ଅନୁଷ୍ଠିତ ହେଉଛି । କୋଭିଡ କଟକଣା ଭିତରେ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ପରୀକ୍ଷା । ତିନୋଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ପ୍ରଥମ ସିଫ୍ଟ ସକାଳ ୯ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା ୧୧ ଟା ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ ଟାରୁ ଅପରାହ୍ନ ସାଢେ ୨ ଟା ଯାଏଁ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ ଟା ଯାଏଁ ରହିଛି । ୨୧ ଟି ସହରରେ ମୋଟ ୫୪ ଟି ପରୀକ୍ଷା କେନ୍ଦ୍ର ହୋଇଛି ସେଥିରୁ ତିନୋଟି ପରୀକ୍ଷା କେନ୍ଦ୍ର ରାଜ୍ୟ ବାହାରେ ତଥା କୋଲକାତା, ରାଞ୍ଚି ଏବଂ ପାଟନାରେ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ସାନିଟାଇଜ୍ କରାଯାଇଛି । ଏହାସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଭିଡ ଗାଇଡଲାଇନ ପାଳନ କରିବା ବାଧ୍ୟତମୂଳକ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ।