ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ +୨ ନାମଲେଖା ଆରମ୍ଭ । ଗତକାଲି ପ୍ରଥମ ପର୍ଯ୍ୟାୟ ଛାତ୍ର ଛାତ୍ରୀଙ୍କ ନାମ ପ୍ରକାଶ ପାଇଥିଲା । ଏଣୁ ଆଜିଠୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା । ଏହାପରେ ୧୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏହା ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।
୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।
ଗତବର୍ଷ ତୁଳନାରେ ଏଥର କଳା ବିଭାଗରେ କର୍ଟ ଅଫ୍ ମାର୍କ ପ୍ରାୟ ୨ ପ୍ରତିଶତ କମିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାମାନ୍ୟ ବଢ଼ିଛି। କଳା ବିଭାଗରେ ବିଜେବି, ରେଭେନ୍ସା କଲେଜ ପୁଣିଥରେ ଶ୍ରେଷ୍ଠ ଦୁଇ ସ୍ଥାନକୁ ଅକ୍ତିଆର କରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରାସ୍ଥିତ ପତିତପାବନ କଲେଜ ଏଥର ୩ୟ ସ୍ଥାନକୁ ଖସିଛି। ସଂସ୍କୃତ ବିଭାଗରେ ଦେବଗଡ଼ ଜିଲ୍ଲା ରିଆମାଳସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ କଲେଜ ଶୀର୍ଷରେ ଥିବା ବେଳେ ଧନ୍ଦାମୂଳକ ବିଭାଗରେ କଟକ ଜିଲ୍ଲା ମାହାଙ୍ଗାସ୍ଥିତ ସରକାରୀ ଧନ୍ଦାମୂଳକ କଲେଜର କଟ୍ ଅଫ୍ ମାର୍କ ଅଧିକ ରହିଛି।