ପାଟନ(ଏଟିଆର ବ୍ୟୁରୋ): ବିହାରରେ ଆଜିଠାରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧୨.୦୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାର ଜଣାପଡିଛି । ତେବେ କିଛି ବର୍ଷ ହେବ ବିହାରରେ ହେଉଥିବା ପରୀକ୍ଷାକୁ ନେଇ ବିଭିନ୍ନ ପ୍ରକାରର ତ୍ରୁଟି ଦେଖିବାକୁ ମିଳୁଛି । ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ କିଭଳି କପି ନକରିପାରିବେ ସେନେଇ ବିହାର ସ୍କୁଲ ଏକ୍ସାମିନେଶନ୍ ବୋର୍ଡ ନୂଆ ପଦକ୍ଷେପ ଗ୍ରହଣ କରିବା ସହ କିଛି ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି ।
ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରରେ ଛାତ୍ରାଛାତ୍ରୀ ମାନେ ଜୋତା ଓ ମୋଜା ପିନ୍ଧି ପରୀକ୍ଷା ଦେଇପାରିବେ ନାହିଁ । ଏହା ସହ ପରୀକ୍ଷାର୍ଥୀ ମାନେ ନିଜ ସାଙ୍ଗରେ କୌଣସି ପ୍ରକାରର ଇଲୋକଟ୍ରୋନିକ୍ସ ଜିନିଷ ମଧ୍ୟ ସେଣ୍ଟର ଭିତରକୁ ନେଇପାରିବେ ନାହିଁ । ଏହା ସହ ଉତ୍ତର ଖାତା ଓ ଓଏମଆର ସିଟରେ ପରୀକ୍ଷାର୍ଥୀଙ୍କ ଫେଟୋ ରହିବ । ଗତ କିଛି ବର୍ଷ ଧରି ବିହାରରେ ହେଉଥିବା ପରୀକ୍ଷାରେ ବିଭିନ୍ନ ପ୍ରକାରର ତ୍ରୁଟି ଓ ପରୀକ୍ଷାର୍ଥୀ ମାନେ କପି କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ନଜରରେ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପରୀକ୍ଷା ସମିତିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।