ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ କିଭଳି ଭଲ ପାଠ ପଢାଯିବ ସେନେଇ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଦେବା, କୃତି ଛାତ୍ରଛାତ୍ରୀଙ୍କୁ ଲାପଟପ ଓ ସାଇକେଲ ଯେଗାଇ ଦେବା ଭଳି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ତେବେ ଛାତ୍ରଛାତ୍ରୀ ମାନଙ୍କ ଇଂରାଜୀ କିଭଳି ଦୃଢ ହେବ ସେନେଇ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦିଆଯିବ ।
ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ନେଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ କରିବା ପାଇଁ ୨୫ ଲକ୍ଷ ଲେଖାଏ ଅନୁମୋଦନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅନ୍ୟପଟେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ୫ ହଜାର ଟଙ୍କା ସ୍ଥାନାନ୍ତର ଭତ୍ତା ଦେବାକୁ ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ କିଛି ଦିନ ତଳେ ସରକାର ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ ବୋଲି ଘୋଷଣା କରିଥିଲେ ।