ମୁମ୍ବାଇ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । ମହାମାରି କରୋନା ଭାଇରସରେ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି । ଭାରତରେ ୧୦୦ରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଗହଳି ପୂର୍ଣ୍ଣ ଜାଗାଗୁଡିକୁ ବନ୍ଦ କରିଦିଆଯାଇଛି । ଫିଲ୍ମ ହଲ, ସପିଂ ମଲ, ସ୍କୁଲ, କଲେଜ ଆଦିକୁ ବନ୍ଦ କରିଦିଆଯାଇଛି ।
ତେବେ ବଲିଉଡରେ କରୋନା ଭାଇରସର ପ୍ରଭାବ ପଡିଛି । ବାଗୀ-୩ ଓ ଅଂରେଜି ମିଡିୟମ ଫିଲ୍ମ ଉପରେ କରୋନା ପ୍ରଭାବ ପଡିଛି । ବାଗି-୩ କିଛି ଆୟ କରିଥିବା ବେଲେ ଅଂରେଜୀ ମିଡିୟମ ମାତ୍ର ୩.୫୦ କୋଟି ଟଙ୍କା ଆୟ କରିଛି । ଏହା ପରେ ହଲ ଗୁଡିକ ବନ୍ଦ ହୋଇଯିବାରୁ ଏହାର ଆୟ ଆଉ ବଢିପାରି ନାହିଁ । ତେବେ ଏହି ଫିଲ୍ମକୁ ଆଉଥରେ ରିଲିଜ କରାଯିବ ବୋଲି ଫିଲ୍ମର ନିର୍ଦ୍ଦେଶକ ହୋମି ଅଦାଜାନିଆ ଘୋଷଣା କରିଛନ୍ତି । ହୋମି ନିଜ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । ଏହା ସହ ହୋମି ଲେଖିଛନ୍ତି ଯେ, କରୋନା ଭାଇରସର ପ୍ରଭାବ କମିଗଲା ପରେ ଅଂରେଜୀ ମିଡିୟମ ଫିଲ୍ମକୁ ପୁଣି ଥରେ ରିଲିଜ କରାଯିବ ।
ଏହି ଫିଲ୍ମରେ ଇରଫାନ ଖାନ, ରାଧିକା ମଦନ ଓ କରୀନା କପୁର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୂଚନାଯୋଗ୍ୟ କେବଳ ଅଂରେଜୀ ମିଡିୟମ ଫିଲ୍ମ ନୁହେଁ ଏହା ସହ ବହୁ ବଲିଉଡ ଫିଲ୍ମ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି । ରନବିର୍ ସିଂଙ୍କ ୮୩, ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ, ସରଦାର ଉଧମ ସିଂହ, ସନ୍ଦୀପ ଔର ପିଙ୍କି ଫରାର୍ ଭଳି କିଛି ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଛି । ଏହା ସହ ତକ୍ତ, ବ୍ରହ୍ମସ୍ତ୍ର ଓ ଜର୍ସି ଭଳି କିଛି ଫିଲ୍ମର ସୁଟିଂଙ୍କୁ ସ୍ଥଗିତ ରଖାଯାଇଛି ।